ପାଣି ପାଇଁ ତୁମୁଳକାଣ୍ଡ ! ପଂଚାୟତ କାର୍ଯ୍ୟାଳୟ ଭଙ୍ଗାରୁଜା ସହ ରାସ୍ତା ଅବରୋଧ କଲେ ଶତାଧିକ ଗ୍ରାମବାସୀ

33

କନକ ବ୍ୟୁରୋ : ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଜଳକଷ୍ଟ ପାଇଁ ଡହକବିକଳ ବିକଳ ହେଉଛନ୍ତି ଲୋକେ । ଖରା ବଢ଼ି ବଢ଼ି ଚାଲିଥିବାବେଳେ ରାଜ୍ୟର ବିଭିନ୍ନ ଅଂଚଳରେ ଜଳକଷ୍ଟ ବଢ଼ିଯାଇଛି । ପାଣି ନମିଳିବାରୁ କେଉଁଠି ଚୁଆରୁ ତ ଆଉ କେଉଁଠୁ ନଦୀ ପାଣି ପିଇ ଜୀବନ ବିତାଉଛନ୍ତି ଲୋକେ । ତେବେ ଜଳକଷ୍ଟ ସହିନପାରି ଆଇନକୁ ହାତକୁ ନେବାକୁ ବସିଲେଣି ଲୋକେ । ଗାଁରେ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ମହିଳା । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବକ୍ସିବାରିଆ ମଧ୍ୟପୁର ଗାଁରେ ଏପରି ଅଭବାବନୀୟ ଘଟଣା ଦେଖିବା ପାଇଁ ମିଳିିଛି । ପଂଚାୟତ ଭଙ୍ଗାରୁଜା କରିବା ସହ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି ।

ମଧ୍ୟପୁର ଗାଁରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ବାସିନ୍ଦା ବସବାସ କରନ୍ତି । ଆଉ ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ । ଆଉ ସେହି ନଳକୂଳପରୁ ବାହାରୁଛି ମଇଳା ପାଣି । ଯାହା ଉପରେ ସମସ୍ତ ଗ୍ରାମବାସୀ ନିର୍ଭରଶୀଳ । ଗୋଟିଏ ନଳକୂପକୁ ଗାଁ ସାରା ଲୋକ ବ୍ୟବହାର କରୁଥିବାରୁ ଗା ଲୋକଙ୍କୁ ଜଳକଷ୍ଟ ସହିବା ପାଇଁ ପଡ଼ୁଛି । ଆଉ ବାଧ୍ୟହୋଇ ଦୂଷିତ ଚୁଆପାଣି ବ୍ୟବହାର କରିଛନ୍ତି । ତେବେ ଜଳକଷ୍ଟ ନେଇ ପୂର୍ବରୁ ଗାଁ ଲୋକେ ଅଭିଯୋଗ କରିଥିଲେ ହେଁ କେହି ଅଭିଯୋଗ ଶୁଣିନଥିଲେ ।

ଫଳରେ ଆଜି ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସକାଳୁ ସକାଳୁ ପ୍ରାୟ ୧ ହଜାର ପୁରୁଷ ଓ ମହିଳା ଖାଲି ଗରା, ବାଲଟି ଧରି ପଂଚାୟତ ପହଞ୍ଚିଥିଲେ । ସେଠାରେ ଉତ୍ୟକ୍ତ ମହିଳା ଓ ପୁରୁଷ ପଂଚାୟତ ଅଫିସରେ ପଶି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଏହା ବ୍ୟତୀତ ଉତ୍ୟକ୍ତ ଲୋକେ ଅଫିସର ସମସ୍ତ ଆସବାବପତ୍ର ମଧ୍ୟ ଭାଙ୍ଗିଦେଇଛନ୍ତି । ଏସବୁ ପରେ ସମସ୍ତେ ଜଂଘିରା ରାଜପଥ ଅବରୋଧ କରିଥିଲେ । ଫଳରେ ଯାହାତୟ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଗାଁରେ ଆଉ ଏକ ନଳକୂପ ଖୋଳିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସଂରପଂଚ କହିଛନ୍ତି ।