ପାଣି ପାଇଁ ଡହକବିକଳ ହେଉଛନ୍ତି ଲୋକେ ! ପ୍ରଚଣ୍ଡ ଖରାରେ ଶୁଖିଯାଉଛି କୂଅ ପୋଖରୀ, ଶୋଷ ମେଂଟାଇବାର ଠିକଣା ପାଲଟିଛି ପାଣି ଗାଡି

16

କନକ ବ୍ୟୁରୋ : ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାର ପ୍ରକୋପରେ କୂଅ ପୋଖରୀ ସବୁ ଶୁଖିଯିବା ସହିତ ନଳକୂପରୁ ବାହାରୁଥିବା ପାଣି ଆବଶ୍ୟକତା ପୁରଣ କରିବାରେ ଅସମର୍ଥ ହେଉଥିବାରୁ ଦିନରାତି ନଳକୂପ ନିକଟରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ନମ୍ବର ଲଗାଇ ସଂଗ୍ରହ କରିବାକୁ ପଡୁଛି ପାନୀୟ ଜଳ ।

ଗାଁକୁ ଆସିଛି ପାଣିଟାଙ୍କି । ଗାଁ ନଳକୂଅରୁ ଲୁଣି ପାଣି ବାହାରୁଥିବାରୁ ପାଣି ଟାଙ୍କି ପାଖରେ ଲାଗିଛି ମହିଳାଙ୍କ ଗହଳି । ଗରା ମାଠିଆ ଧରି ନମ୍ବର କରି ପାଣି ନେଉଛନ୍ତି କେନ୍ଦ୍ରାପଡା ମହାକାଳପଡା ବ୍ଲକର ଗଡରୋମିତ ଗାଁର ମହିଳା । ନଦୀ ନାଳ ଘେରା ଏହି ଗାଁରେ ୫୦୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପ୍ରଚଣ୍ଡ ଖରାରେ ଶୁଖିଯାଇଛି କୂଅ ପୋଖରୀ । ଫଳରେ ଶୋଷ ମେଂଟାଇବାର ଠିକଣା ପାଲଟିଛି ପାଣି ଗାଡି ।

ସବୁ ବେଳେ ଜଳ ସମସ୍ୟାରେ ଘାଂଟି ହେଉଥିବା ଗଡରୋମିତ ଗାଁରେ ସରକାର ୪ଟି ଗଭୀର ନଳକୂଅ ବସାଇଛନ୍ତି । ସେଥିମଧ୍ୟରୁ ୩ଟିରୁ ଲୁଣି ଏବଂ ଆଇରନ୍ ମିଶା ପାଣି ବାହାରୁଛି, ଯାହା ପିଇବା ଅନୁପଯୋଗୀ । ଜଳ ସମସ୍ୟାର ସମାଧାନ ପାଇଁ ପଂଚାୟତ ପକ୍ଷରୁ ଏକ ଟ୍ରାକ୍ଟର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି ଯାହା ସମୁଦ୍ରକୁ ଶଙ୍ଖେ । ବିଭାଗୀୟ କର୍ତ୍ତୃପକ୍ଷ ଗଡରୋମିତ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି ।

ସେହିପରି ଜଳ ଯାତନା ଭୋଗୁଛନ୍ତି ଯାଜପୁର ଜିଲ୍ଳା ବଡଚଣା ବ୍ଳକ ଚଣ୍ଡିତଳ ପଂଚାୟତର ଦଳେଇ ସାହିର ଲୋକେ । ୬୦ଲକ୍ଷ ଟଙ୍କାର ପାଣିଟାଙ୍କି ପୋଷ୍ଟରେ ଆସୁନାହିଁ ପାଣି । ପାଣି ବୁନ୍ଦେ ପାଇଁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଖୁବଶ୍ରୀଘ ପାଣି ସମସ୍ୟା ଦୁର କରିବା ପାଇଁ ପ୍ରଶାସନ ପାକ୍ଷରେ ଦାବି ରଖିଛନ୍ତି ଦଳେଇ ସାହିର ଲୋକ । ତୁରନ୍ତ ପଦକ୍ଷେପ ନନେଲେ ବ୍ଲକ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।