ପାଣି ପାଉନି ଗ୍ରାମୀଣ ଓଡିଶା ! ଉପକୂଳରୁ ଦକ୍ଷିଣ ସବୁଠି ଉତ୍କଟ ଜଳାଭାବ

30

କନକ ବ୍ୟୁରୋ : ଗ୍ରୀଷ୍ମ ସହ ତାଳ ଦେଇ ବଢ଼ିବାରେ ଲାଗିଛି ଜଳସଙ୍କଟ । ଟୋପେ ପାନୀୟ ଜଳ ପାଇଁ ରାଜ୍ୟ ବାସୀ ହନ୍ତସନ୍ତ ହେଉଛନ୍ତି । କେଉଁଠି ଚୁଆ ପାଲଟିଛି ପାଣି ବୁନ୍ଦେ ପାଇବାର ଠିକଣା ତ ପୁଣି କେଉଁଠି ଜଳଉତ୍ସ ଥିବା ସତ୍ୱେ ଗାଁ ପର୍ଯ୍ୟନ୍ତ ପହଂଚିପାରୁନି ପାନୀୟ ଜଳ । ଢେଙ୍କାନାଳରୁ ଆରମ୍ଭ କରି ନବରଂଗପୁରଯାଏଁ ସବୁଠି ଏବେ ଦେଖିବାକୁ ମିଳିଛି ଉତ୍କଟ ଜଳାଭାବର ଚିତ୍ର ।

ଢେଙ୍କାନାଳ ହିନ୍ଦୋଳ ବ୍ଲକ୍ କଦଳୀପାଳରେ ଉତ୍କଟ ଜଳାଭାବ । ଗାଁର ଏକମାତ୍ର କୁଅ ଶୁଖି ଯିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ନିକଟସ୍ଥ ସାପୁଆ ନାଳର ଚୁଆ ପାଲଟିଛି ଜଳ ବୁନ୍ଦେ ପାଇବାର ଏକମାତ୍ର ଠିକଣା । ଗାଁର ନଳକୂପ ବି ଅଚଳ ପଡ଼ିଛି ଏଭଳି ଜଳକଷ୍ଟ ସମୟରେ । ପିଇବା ଯୋଗ୍ୟ ହୋଇନଥିବା ସତ୍ୱେ ଚୁଆ ପାଣିରେ ମେଂଟୁଛି ଭୋକ ଓ ଶୋଷ । ରୋଗ ସଂକ୍ରମିତ ହେଲେ ବି ପିଇବାକୁ ପଡ଼ୁଛି ଚୁଆର ଅପରିଷ୍କାର ପାଣି ।

ପାଣି ପାଉନି ଢେଙ୍କାନାଳ, ଅନ୍ୟପଟେ ନବରଂଗପୁରରେ ପାଣି ପାଇଁ ଦହଗଂଜ । ବାରମ୍ବାର ହାରିଗୁହାରି ପରେ ବି ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ । ଗ୍ରୀଷ୍ମପ୍ରକୋପ ବଢ଼ି ଚାଲିଥିବା ବେଳେ ଆଗକୁ ଜଳାଭାବର ସ୍ଥିତି ଆହୁରି ସଂଗିନ୍ ହେବା ଏବେଠୁ ଅନୁମାନ କରିହେଉଛି ।

ଅଛି ଆଉ ନାହିଁର ଲୁଚକାଳି ଖେଳ । ନବରଂଗପୁର ଉମରକୋଟର କେନାଲ ଅଛି କିନ୍ତୁ ପାଣି ନାହିଁ । ନିକଟରେ ଥିବା ଭାସ୍କେଲ୍ ଡ୍ୟାମରେ ଯଥେଷ୍ଟ ପରିମାଣର ପାଣି ମହଜୁଦ୍ ନଥିବା କାରଣରୁ ସମ୍ଭବ ହୋଇପାରୁନି ଜଳଯୋଗାଣ । ଏକ କୃଷିପ୍ରଧାନ ଅଂଚଳ ହୋଇଥିବା ସତ୍ୱେ ଉମରକୋଟର ଚାଷୀ ଜଳାଭାବ ଯୋଗୁ ମୁଣ୍ଡରେ ହାତଦେଇ ବସିଛନ୍ତି ।

ସେପଟେ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରି କରିିଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ ଏହାର ସୁଫଳ ପହଁଚିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ପିଇବା ପାଣି ଟୋପାଏ ପାଇଁ ଜିଲ୍ଲାର ହଜାର ହଜାର ଲୋକେ ଘୋର ଦୁଃର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲି ପଂଚାୟତରେ ।