ପ୍ରବଳ ତାତିରେ ଶୋଷ ମେଣ୍ଟାଉଛି ନାଳ ପାଣି : ଦୂଷିତ ପାଣି ବ୍ୟବହାର କରି କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୌଦ୍ଧର ଧଳପୁର ପଞ୍ଚାୟତବାସୀ

78

କନକ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦାଉ ସାଧୁଛି ଜଳ ସଂକଟ । ଫଳରେ ମାଇଲ ମାଇଲ ଦୂରରେ ଥିବା ଦୂଷିତ ଚୂଆ ପାଣି ଗ୍ରାମବାସୀଙ୍କ ପାଇଁ ପାଲଟିଛି ସାହା ଭରସା । ସ୍ୱଚ୍ଛ ପିଇବା ପାଣିର ଅଭାବ ହେତୁ ଦୂଷିତ ପାଣି ନେଉଛି ନୀରିହ ଲୋକଙ୍କ ଜୀବନ । କିଡିନୀ ରୋଗରେ ଆତଙ୍କିତ ବୌଦ୍ଧ ଜିଲ୍ଲାର ଧଳପୁର ପଂଚାୟତବାସୀ ।

ନଳକୂଅ ଅଚଳ, ଶୋଷ ମେଂଟାଇବାର ଶେଷ ଠିକଣା ନାଳ ପାଣି । ବୌଦ୍ଧ ହରଭଙ୍ଗା ବ୍ଲକ ତେନ୍ତୁଲିପଦର ଗାଁର ଲୋକେ ପାଣି ଟୋପାଏ ପାଇଁ ଡହକବିକଳ ହେଉଛନ୍ତି । ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ଜଙ୍ଗଲ ଭିତରେ ମାଇଲ ମାଇଲ ରାସ୍ତା ଚାଲି ନାଳକୁ ଯାଇଛନ୍ତି । ଆଉ ଏହି ନାଳର ଦୂଷିତ ପାଣି ବ୍ୟବହାର କରି ଅନେକ କିଡନୀ ରୋଗରେ ମୃତ୍ୟୂୁ ବରଣ କରିଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୁଏ । ଦୂଷିତ ପାଣି ଯୋଗୁଁ ଲୋକେ ରୋଗାଗ୍ରସ୍ତ ହେଉଥିଲେ ବି ପ୍ରଶାସନ କିଛି ବୁଝୁନଥିବା ଅଭିଯୋଗ ହୋଇଛି ।

ହରଭଙ୍ଗା ବ୍ଲକ ଖରସଙ୍କୁଳେଇ ଗାଁରେ ବି ସମାନ ସ୍ଥିତି । ଗାଁରେ ଥିବା ୨ଟି ନଳକୂପରୁ ଗୋଟିଏ ଅକାମୀ ହୋଇପଡିଛି । ଅନ୍ୟଟିରୁ ବାହାରୁଛି ଗୋଳିଆ ଆଇରନ ଯୁକ୍ତ ପାଣି । ଯାହାକୁ ବ୍ୟବହାର କରି ଗ୍ରାମବାସୀ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଦୂଷିତ ପାଣି ପିଇ ଲୋକେ କୀଡନି ଜନିତ ରୋଗରେ ପୀଡିତ ହେଉଥିବା ବେଳେ ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା କରିନପାରୁନଥିବା ଦୁଃଖର ସହ କହିଛନ୍ତି । ଜଳ ଯୋଗୁଁ ଲୋକେ ଯନ୍ତ୍ରଣା ଭୋଗୁଥିବା ପ୍ରସଙ୍ଗରେ କଣ କୁହନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ଶୁଣନ୍ତୁ ।

ଦିନକୁ ଦିନ ଜଳ ସଂକଟ ତୀବ୍ର ହେବାକୁ ଲାଗିଥିବା ବେଳେ କିଡନୀ ରୋଗୀଙ୍କ ସଂଖା ମଧ୍ୟ ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ଅଂଚଳ ପ୍ରତି ସରକାର ଦୃଷ୍ଟି ଦେଇ ତୁରନ୍ତ ଏହାର ପ୍ରତିକାର କରିବା ଜରୁରୀ ହୋଇପଡିଛି ।