ସାରା ରାଜ୍ୟରେ ଉତ୍କଟ ଜଳସଙ୍କଟ : ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି, ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ବନ୍ଦ

Advertisment
ସାରା ରାଜ୍ୟରେ ଉତ୍କଟ ଜଳସଙ୍କଟ : ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି, ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ବନ୍ଦ

https://www.hindustantimes.com

କନକ ବ୍ୟୁରୋ : ସାରା ରାଜ୍ୟରେ ଜଳ ସଙ୍କଟ ଯୋଗୁଁ ଅଣାୟତ ହେଉଛି ସ୍ଥିତି । ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି । ୨୦୧୮ ଜୁଲାଇ ୨୩ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୪୮.୫୪% ଜଳ ଥିଲା । ୨୦୧୯ ଜୁଲାଇ ୨୩ ଅର୍ଥାତ୍ ଗତକାଲି ଜଳଭଣ୍ଡାରରେ ୧୨.୪% ଜଳ ରହିଛି । ଜଳପତ୍ତନ ଏଯାଏ ୬୦୦ ଫୁଟ୍ ଟପିନି। ବଢ଼ିବା ବଦଳରେ କମି ୫୯୮.୬୭ ଫୁଟ ଛୁଇଁଲାଣି । ରେଙ୍ଗାଳି ସ୍ଥିତି ତଦ୍ରୁପ । ଗତବର୍ଷ ଜୁଲାଇ ୨୩ ତାରିଖରେ ୧୯.୫% ଜଳ ମହଜୁଦ ଥିଲା ଜଳଭଣ୍ଡାରରେ । ହେଲେ ଏବେର ତଥ୍ୟ କହୁଛି, ୩.୩୯% ଜଳ ରହିଛି । ବାଲିମେଳା, ଅପରକୋଲାବ, ଇନ୍ଦ୍ରାବତୀ ସ୍ଥିତି ବି ସେମିତି । ଏଲନିନୋ ପ୍ରଭାବରେ ବର୍ଷା ପ୍ରଭାବ କମିବା କାରଣରୁ ରାଜ୍ୟର ପ୍ରମୁଖ ଜଳଭଣ୍ଡାରରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି । ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ଗତକାଲି ଠାରୁ ହୀରାକୁଦରୁ ଜଳବିଦ୍ୟୁତ ଉତ୍ପାଦନ ବନ୍ଦ କରିଦିଆଯାଇଛି।

ଆହୁରି ଆତଙ୍କ ସୃଷ୍ଟି କରିବା ଭଳି ତଥ୍ୟ ହେଉଛି, ଯଦି ଜଳଭଣ୍ଡାର ଜଳପତ୍ତନ ଆସନ୍ତା ୧୦ ଦିନ ଭିତରେ ବଢିବା ପରିବର୍ତେ କମେ, ତେବେ କେନାଲକୁ ପାଣିଯୋଗାଣ ବି ବନ୍ଦ ହୋଇଯିବ । ଜଣେ ଅଧିକାରୀ କହିଛନ୍ତି, ଜଳଭଣ୍ଡାରରୁ ଯଦି ସାଢେ ତିନି ପୁଟ ଜଳପତ୍ତନ କମିଯାଏ ଅର୍ଥାତ୍ ଜଳପତ୍ତନ ୫୯୫ ଫୁଟକୁ ଖସିଆସେ, ତେବେ ହୀରାକୁଦ ଜଳଭଣ୍ଡାର ସହ ସଂଯୁକ୍ତ କେନାଲରୁ ଆଉ ପାଣି ଛଡାଯାଇପାରିବ ନାହିଁ । ଏମିତି ସ୍ଥିତିରେ ଗତ କିଛି ଦିନ ଧରି କେନାଲ ଯୋଗେ ଯେଉଁ ଜଳଯୋଗାଣ ହେଉଛି, ତାହା ବି ବନ୍ଦ ହୋଇଯିବ।

ଅନ୍ୟପଟେ ବର୍ଷାଭାବ ଚାଷ କାର୍ଯ୍ୟକୁ ବିପଜ୍ଜନକ ସ୍ଥିତିକୁ ଟାଣିଆଣିଲାଣି । ସରକାରୀ ପରିସଂଖ୍ୟାନ କହୁଛି, ଗତବର୍ଷ ଆଜି ଦିନରେ ୨୨.୪ଲକ୍ଷ ହେକ୍ଟର ଚାଷ ଜମିରେ ଚାଷ ହୋଇଥିଲା । ଏଥର ୨୨.୩୧ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି । କିନ୍ତୁ ଧାନ କ୍ଷେତ୍ରରେ ଗଜା ମରୁ଼ଡି ସ୍ଥିତି ଉପୁଜିଲାଣି । ରୁଆ ହେବା ପାଇଁ ଯେଉଁ ତଳି ପଡ଼ିଛି, ତାହା ଶୁଖିଗଲାଣି । ବିଲ ଫାଟି ଆଁ କରିଛି । ହଠାତ୍ ବର୍ଷା ହେଲେ ବି ଅନେକ ସ୍ଥାନରେ ସ୍ଥିତି ପରିବର୍ତନ ହେବା ସମ୍ଭାବନା କ୍ଷୀଣ । କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ଆସନ୍ତା ୨୫ ତାରିଖରୁ ବର୍ଷା ହେବ । ଏଣୁ ଏହାକୁ ଅପେକ୍ଷା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe