ଦେବଗଡ଼ରେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା! ଶୋଷ ମେଂଟାଇବାର ଶେଷ ଠିକଣା ଚୁଆ

60

କନକ ବ୍ୟୁରୋ : ଧୁ ଧୁ ଖରା ସାଙ୍ଗକୁ ଗରମପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏଭଳି ସ୍ଥିତିରେ ଉତ୍କଟ ରୂପ ଧାରଣ କରିଛି ପିଇବା ପାଣି ସମସ୍ୟା । ଦେବଗଡ ରିଆମାଳ ବ୍ଲକ ବଡ ସିମଲଇ ଓ ସାନସିମଲଇ ଗାଁର ଲୋକ ପାଣି ପାଇଁ ହାହାକାର । ଦୁଇ ବସ୍ତି ମଧ୍ୟ ଦେଇ ଯାଇଥିବା ଶୁଷ୍କ ପରିତ୍ୟକ୍ତ ନାଳରୁ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଗାଁର ମହିଳା ।

ପାଣି ଗରା ଧରି ଚୁଆ ପାଖରେ ମହିଳାଙ୍କ ଲମ୍ବା ଲାଇନ୍ । ପରିବାର ମୁହଁରେ ପାଣି ମୁନ୍ଦେ ଦେବା ପାଇଁ କଂସା କଂସା କରି ଗରା ଭରୁଛନ୍ତି ମହିଳା । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବଡ ସିମଲଇ ଓ ସାନ ସିମଲଇ ଗାଁରେ ପିଇବା ପାଣି ଯୋଗାଇବା ପାଇଁ ମାତ୍ର ୪ଟି ନଳକୂପ ରହିଛି । ହେଲେ ସେଥିରୁ ଦୁଇଟି କାମ କରୁଥିବା ବେଳେ ଗୋଟିଏରୁ ବାହାରୁଛି ଲୁହାଗୁଣ୍ଡ । ଯାହା ପିଇବା ଅନୁପଯୋଗୀ । ତେଣୁ ଗାଁ ନିକଟରେ ଥିବା ନାଳ କଡରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ମହିଳା ।

ଗାଁ ଦୁଇଟି ଜଳ ଜଂଜାଳରେ ଘାଂଟି ହେଉଥିବା ବେଳେ ଜଳ ପରିମଳ ବିଭାଗ କି ବ୍ଲକ ପ୍ରଶାସନର କୌଣସି ନିଘା ନାହିଁ । ଲୋକ ଚୁଆର ଦୂଷିତ ପାଣି ପିଉଥିବା ବେଳେ ଏନେଇ ବିଭଗୀୟ ଅଧିକାରୀଙ୍କ ପାଖରେ ଖବର ନଥିବା କଥା ପରିତାପର ବିଷୟ । ତେବେ ଗଣମାଧ୍ୟ ଠାରୁ ଜଳ ସମସ୍ୟା ବାବଦରେ ଜାଣିବା ପରେ ଟ୍ୟାଙ୍କ ଯୋଗେ ପିଇବା ପାଣି ଯୋଗାଯିବ ବୋଲି ରିଆମାଳ ବିଡିଓ କହିଛନ୍ତି । ବଡ ସିମଲଇ ଓ ସାନ ସିମଲଇ ଗାଁର ପାଣି ସମସ୍ୟା ଜିଲ୍ଲା ପ୍ରଶାସନ ଶୀଘ୍ର ଦୂର କରିବା ଜରୁରୀ ହୋଇପଡିଛି ।