ପାଣି ଟୋପାଏ ପାଇଁ ରାତି ଅନିଦ୍ରା ! ରାତିରେ କୂଅ ଚାନ୍ଦିନୀ ପାଖରେ ଜଗିିବସୁଛନ୍ତି କବଁଛବାହାଳ ଗାଁ ଲୋକେ

40

କନକ ବ୍ୟୁରୋ : ଗାଁ ଲୋକେ ଅପେକ୍ଷା କରନ୍ତି କେତେବେଳେ କୂଅରୁ ପାଣି ଝରିବ । ଏମିତିକି ରାତିରେ କୂଅ ଚାନ୍ଦିନୀରେ ଶୋଇବାକୁ ପଡେ ଗ୍ରାମବାସୀଙ୍କୁ । ଥରକୁ ଥର ଟର୍ଚ ମାରି ଦେଖନ୍ତି ପାଣି ଝରିଲା ନା ନାହିଁ । ଭୋର୍‌ ୩ଟା ବେଳକୁ ବାଲ୍‌ଟି ବୁଡ଼ିବା ଭଳି ପାଣି ହୋଇଗଲେ କୂଅ ମୂଳେ ଶୋଇଥିବା ଲୋକ ଗରା ବାଲଟି ଧରି ଆରମ୍ଭ କରିଦିଅନ୍ତି ଜଳ ସଂଗ୍ରହ । ଚାହୁଁ ଚାହୁଁ ଲମ୍ବିଯାଏ ଗାଁ ଯାକର ଗରା, ବାଲ୍‌ଟି କୂଅ ଚାରିପାଖେ । କୂଅରୁ ଝରୁଥିବା ପାଣି କଢାଯିବା ପରେ ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ଖାଦ୍ୟ ରନ୍ଧାରନ୍ଧି ଓ ପିଇବା ପାଇଁ ନିଇତି ଦହଗଞ୍ଜ ହୋଇ ପାଣି ସଂଗ୍ରହ କରିବାକୁ ପଡ଼ୁଛି ଗ୍ରାମବାସୀଙ୍କୁ ।

ଏହା କୌଣସି ଅପନ୍ତରା ଗାଁର ଚିତ୍ର ନୁହେଁ, ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୨ କିଲୋମିଟର ତଥା ଏସିଆର ଦ୍ୱିତୀୟ ବୃହତ୍ତମ ପାଓ୍ଵାର ଗ୍ରିଡ଼୍‍ଠାରୁ ୨ କିଲୋମିଟର ଦୂର ବଅଁରପାଳ ବ୍ଲକ୍‌ ଫୁଲପଡ଼ା ପଞ୍ଚାୟତ କଇଁଛବାହାଳ ଗାଁର ଇଏ ହେଉଛି ନିତ୍ୟନୈମିତିକ ଘଟଣା । ପାନୀୟ ଜଳ ପାଇଁ ଗାଁର ଏକମାତ୍ର ଖୋଲା କୂଅ ହିଁ ଭରସା । ପାହାନ୍ତାରୁ ଗାଁ ଲୋକଙ୍କୁ କୂଅ ପାଖରେ ଧାଡ଼ି ଲମ୍ବାଇବାକୁ ପଡ଼େ ଓ ରାତିରେ କୂଅ ପାଖରେ ଶୋଇବାକୁ ହୁଏ ବୋଲି ଗାଁର ବଦନୀ ବେହେରା, ପାର ବେହେରା, କୁମୁଦିନୀ ବେହେରା, ବାସନ୍ତୀ ବେହେରା, ନୟନୀ ବେହେରା ପ୍ରମୁଖ କହିଛନ୍ତି । ଗ୍ରୀଷ୍ମ ପ୍ରଭାବରେ ଜଳସ୍ତର ବହୁ ତଳକୁ ଖସିଯାଇଛି। କୂଅରେ ପାଣି ଝରିବାକୁ ବିଳମ୍ବ ହେଉଛି ।

ଅପେକ୍ଷା ସତ୍ତ୍ୱେ ବେଳେ ବେଳେ ପାଣି ସରିଯିବାରୁ ନିରାଶ ହୋଇ ଫେରିବାକୁ ପଡ଼େ। ପାଣି ପାଇଁ ଅନେକ ସମୟରେ ଝଗଡ଼ା ବି ହେଉଛି । ଗାଧୁଆପାଧୁଆ ପାଇଁ ଗାଁଠାରୁ ୩ କିଲୋମିଟର ଦୂର ପୋଖରୀକୁ ଯିବାକୁ ପଡ଼ୁଛି ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଫୁଲପଡ଼ା ପାଓ୍ଵାର ଗ୍ରିଡ଼୍‍ର ପାରିପାର୍ଶ୍ୱିକ ଅଞ୍ଚଳ ଭିତରେ ରହିଛି ଏହି ଗାଁ। ନା ପାଓ୍ଵାର ଗ୍ରିଡ଼୍‍, ନା ପ୍ରଶାସନ କେହି ଗାଁର ଜଳାଭାବ ମେଣ୍ଟାଇବାକୁ ଦୃଷ୍ଟି ଦେଉନାହାନ୍ତି । ଭାଗ୍ୟକୁ ଆଦରିବା ବ୍ୟତୀତ ଅନ୍ୟ ଗତି ନାହିଁ ବୋଲି କହିଛନ୍ତି କଇଁଛବାହାଳ ଗ୍ରାମବାସୀ ।