ପାଣି ପାଇଁ ହାହାକାର, ବିଜୁଳି ପାଇଁ ହସ୍ତସନ୍ତ : ପାଣି ଓ ବିଜୁଳି ଦାବିରେ ରାସ୍ତାକୁ ଓହ୍ଲାଇଲେ ବାତ୍ୟା ପ୍ରଭାବିତ

164

କନକ ବ୍ୟୁରୋ : ଶହ ଶହ ଗାଡ଼ି, ହଜାର ହଜାର ଲୋକ । ଦୂରରୁ ଦେଖିଲେ ଲାଗୁଛି ବୋଧେ କୌଣସି ନେତା କିମ୍ବା ଫିଲ୍ମ ତାରକା ଆସିଛନ୍ତି । କିନ୍ତୁ ପାଖକୁ ଗଲେ ସ୍ପଷ୍ଟ ହୋଇଯାଉଛି ଗହଳି ପଛର କାରଣ । ରାଜରାସ୍ତା ଉପରେ ବସିଛନ୍ତି ମହିଳା ଏବଂ ପାଣି-ବିଜୁଳି ପାଇଁ କରୁଛନ୍ତି ପ୍ରତିବାଦ । କାରଣ ବାତ୍ୟାର ଗୋଟିଏ ସପ୍ତାହ ପରେ ବି ସୁଧୁରିନି ଲୋକଙ୍କ ସ୍ଥିତି ।

ପୁରୀ ଜିଲ୍ଲା ସାତଶଙ୍ଖ ଅଂଚଳର ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଲୋକଙ୍କ ଅଭିଯୋଗ- ନା’ ବିଜୁଳି କିମ୍ବା ପାଣି ଆସୁଛି, ନା’ ପ୍ରଶାସନର ନିଘା ପଡୁଛି । ବାରମ୍ବାର ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏଭଳି ସ୍ଥିତିରେ ଭିଡ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଛି ।

ସେପଟେ ଭୁବନେଶ୍ୱର ସହରର ଲିଙ୍ଗରାଜ ନଗରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି ପୁରୁଣା ଭୁବନେଶ୍ୱର ଅଂଚଳର ଲୋକେ । କାରଣ ସରକାରଙ୍କ ପ୍ରତିଶ୍ରୁତି ପରେ ବି ଏହି ଅଂଚଳରେ ବିଜୁଳି ଆସିନଥିବା ଲୋକ ଅଭିଯୋଗ କରିଛନ୍ତି । ଲାଇନ୍ ଆସୁନି, ଯାହା ଫଳରେ ଘରୁ ପାଣି ପହଂଚିବାରେ ସମସ୍ୟା ସୃଷ୍ଟି ହେଉଛି । ଆଉ ଯେତେବେଳେ ସ୍ଥିତି ଅସମ୍ଭାଳ ହୋଇଛି, ପ୍ରତିବାଦର ବାଟକୁ ଆପଣାଇ ନେଇଛନ୍ତି ଲୋକେ ।

କେବଳ ଯେ ଲିଙ୍ଗରାଜ ମନ୍ଦିର ଅଂଚଳରେ ଯେ, ସମସ୍ୟା ରହିଛି ତାହା ନୁହେଁ, ଭୁବନେଶ୍ୱରର ମ୍ୟାଗନେଟ୍ ଛକ ଏବଂ ଶିଶୁପାଳଗଡ଼ ଅଂଚଳରେ ବି ଲୋକ ରାଜରାସ୍ତା ଉପରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ଗତକାଲି ମ୍ୟାଗ୍ନେଟ୍ ଛକରେ ଲୋକ ରାସ୍ତାରୋକ୍ କରିଥିବା ବେଳେ ଆଜି ଶିଶୁପାଳଗଡ଼ ଛକରେ ପାଣି ଓ ବିଜୁଳି ପାଇଁ ପ୍ରତିବାଦ କରିଛନ୍ତି ଲୋକେ ।