ଅମଳ ଅପେକ୍ଷା ଧାନରେ ଲାଗିଛି ପୋକ  : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ କେଣ୍ଡାରେ ଲାଗିଛି ସାଆର ପୋକ, ଅମଳ କମିବା ଆଶଙ୍କାରେ ଚାଷୀ

102

କନକ ବ୍ୟୁରୋ : ପାଚି ଆସିଲାଣି ଧାନ । ଅନେକ ସ୍ଥାନରେ ଧାନ କଟା ମଧ୍ୟ ଆରମ୍ଭ ହେଲାଣି । ମାତ୍ର ଅମଳ ସମୟରେ ଧାନ କେଣ୍ଡାରେ ସାଆର ପୋକ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ  ପଡିଛନ୍ତି । ଏହି ସାଆର ରୋଗ ପୋକ ଲାଗିବା ଯୋଗୁଁ ଧାନ ପରିବର୍ତେ  ଅଗାଡି ହାର ଅଧିକ ବାହାରିବାକୁ ନେଇ ଚିନ୍ତାରେ ଚାଷୀ ।

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଚିଲା ଧାନରେ ରୋଗ ପୋକ ଲାଗିଛି । ଧାନ ଅମଳ ସମୟରେ ଧାନ କେଣ୍ଡାରେ ସାଆର ପୋକ ଲାଗିବା ଫଳରେ ଧାନ ସବୁ ଅଗାଡି ହୋଇଯାଉଛି । ଚଳିତ ବର୍ଷର ଜିଲ୍ଲାରେ ଚାଷ ଆରମ୍ଭ ବାରମ୍ବାର ସମସ୍ୟା ଭୋଗିଛି ଚାଷୀ । ରୁଆ-ବେଉଷଣ ବେଳେ ମାତ୍ରାଧିକ ବର୍ଷା ଯୋଗୁଁ ତଳି ସଢି ଯାଇଥିଲା । ତା ସାଙ୍ଗକୁ ବାତ୍ୟା ଫୋନି ଓ ବୁଲବୁଲ ଜିଲ୍ଲାର ବହୁ ଫସଲ ନଷ୍ଟ କରିଛି । ଆଉ ଏବେ ଧାନ ଅମଳ ସମୟରେ କେଣ୍ଡାରେ ରୋଗ ପୋକ ଲାଗିଥିବାରୁ ଚାଷୀ କ୍ଷତି ସହିବାର ଆଶଙ୍କା ଉପୁଜିଛି ।

ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ଅମଳ ସମୟରେ ରୋଗ ପୋକ ଲାଗିବାରୁ ଔଷଧ ସିଂଚନ କରାଯାଇ ପାରୁନାହିଁ । ତେଣୁ ଅମଳ ନୈରାଶ୍ୟଜନକ ହେବ ଆକଳନ କରୁଛନ୍ତି ଚାଷୀ । ସେପଟେ ରୋଗ ପୋକ ଯୋଗୁଁ ଚାଷୀଙ୍କ ଅମଳ କମିପାରେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଅମଳ ସମୟରେ ଧାନ କେଣ୍ଡାରେ ରୋଗ ପୋକ ଲାଗିବାରୁ •ଷୀ ଚିନ୍ତାରେ ପଡିଥିବା ବେଳେ କ୍ଷତିପୁରଣ ଦେବାକୁ ଦାବି ହେଉଛି ।