IRAN Photograph: (KANAK NEWS)
କନକ ବ୍ୟୁରୋ: ନବମ ଦିନରେ ଆହୁରି ଦାଉ ଦାଉ ହୋଇ ଜଳିଲା ଯୁଦ୍ଧର ନିଆଁ । ଇରାନ ରାଜଧାନୀ ତେହେରାନରେ ଆକାଶ ଛୁଇଁଲା ଅଗ୍ନି ପିଣ୍ଡୁଳା । କେହି କାହାକୁ ଛାଡ଼ିବେନି ବୋଲି ଇରାନ୍ ଓ ଆମେରିକା ଅଡ଼ି ବସିଥିବା ବେଳେ, ଯୁଦ୍ଧ ବିଭୀଷିକାର ଅନ୍ତ ଘଟାଇବାକୁ ଅନୁରୋଧ କରିଛନ୍ତି ପୋପ୍ ।
ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କୁ ଖେମିନିଙ୍କ ହତ୍ୟାର ମୂଲ୍ୟ ଦେବାକୁ ପଡ଼ିବ: ଲାରିଜାନି
ଭୀଷଣ... ଭୟଙ୍କର... । ଆକାଶ ଛୁଉଁଛି ଲେଲିହାନ ଦାବାନଳ । ଇଏ କୌଣସି ଏଆଇ ଭିଡିଓ କି କମ୍ପ୍ୟୁଟର ତିଆରି କାଳ୍ପନିକ ଦୃଶ୍ୟ ନୁହେଁ । ଇରାନର ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଆକ୍ରମଣ ପରର ଛାତିଥରା ଚିତ୍ର । ତେହରାନର ୫ଟି ତୈଳ ଭଣ୍ଡାରରେ ହୋଇଛି ଭୟଙ୍କର ବିସ୍ଫୋରଣ । ବିକଟାଳ ନିଆଁ, ବେକାବୁ କଳା ଧୂଆଁ । ସତେ ଯେମିତି ପୂରା ଅଂଚଳକୁ ଘେରିଯାଇଛି ମହାପ୍ରଳୟ । ଆକାଶ ମାର୍ଗରୁ ଇସ୍ରାଏଲର ବୋମା ବର୍ଷାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲେ ବି, ବିଷାକ୍ତ ଧୂଆଁ ଓ କ୍ଷତିକାରକ ଏସିଡ୍ ବର୍ଷା ହୋଇପାରେ ବୋଲି ଜନସାଧାରଣଙ୍କୁ ସତର୍କ କରିଛି ଇରାନ୍ ।
ଅନ୍ୟପକ୍ଷରେ ଇରାନ୍ ବି ଛାଡ଼ିବା ସ୍ଥିତିରେ ନାହିଁ । ଦୁବାଇ ବିମାନବନ୍ଦର ପରେ କୁଏତ୍ ବିମାନବନ୍ଦରକୁ ବି ଟାର୍ଗେଟ୍ କରିଛି । ଦରକାର ପଡ଼ିଲେ ଇରାନ୍ ବି ଇସ୍ରାଏଲ ଭଳି ୬ ମାସ ଘମାଘୋଟ ଯୁଦ୍ଧ ଲଢ଼ିପାରିବ ବୋଲି ଚେତାବନୀ ଦେଇଛି । ସେପଟେ ଇସ୍ରାଏଲୀ ଆକ୍ରମଣରେ ଲେବାନନରେ ୮୩ ଶିଶୁଙ୍କ ସମେତ ୩୯୪ ଜଣଙ୍କ ମୃତ୍ୟୁ ଘଟିଛି ।
ଆହୁରି ପଢ଼ନ୍ତୁ: ବାଂଲାଦେଶରେ ମନ୍ଦିରରେ ବୋମା ବିସ୍ଫୋରଣ: ପୂଜକଙ୍କ ସମେତ ୩ ଆହତ
ଏପଟେ ଘମାଘୋଟ ଅସ୍ତ୍ରଯୁଦ୍ଧ, ସେପଟେ ଥମୁନି ବାକ୍ଯୁଦ୍ଧ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କୌଣସି ସ୍ଥିତିରେ ଛାଡ଼ିବୁନି ବୋଲି ରଣହୁଂକାର ଦେଇଛନ୍ତି ଖାମେନେଇଙ୍କ ଘନିଷ୍ଠ ସହଯୋଗୀ ତଥା ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନି । ଅନ୍ୟପକ୍ଷରେ ଟ୍ରମ୍ପ କହିଛନ୍ତି, ଇରାନରେ ଆମେ ଆତ୍ମସମର୍ପଣ କରୁଛୁ ବୋଲି କହିବାକୁ ଆଉ କେହି ରହିବେନି । ଆମେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ତା’ ଆଗରୁ ନିଃସର୍ତ୍ତ ଆତ୍ମସମର୍ପଣ କରୁ ଇରାନ । ଏସବୁ ଭିତରେ ଶାନ୍ତି ପାଇଁ ନିବେଦନ କରିଛନ୍ତି ପୋପ୍ ଲିଓ । ବୋମା ବର୍ଷା ବନ୍ଦ କରିବାକୁ ଉଭୟ ପକ୍ଷରୁ ଅନୁରୋଧ କରିଛନ୍ତି । ଇରାନ୍ ନିଜ ସର୍ବୋଚ୍ଚ ନେତା ବାଛି ସାରିଥିବା ଘୋଷଣା କରିଛି । ତେବେ ତାଙ୍କ ଜୀବନକୁ ବିପଦ ଥିବାରୁ ନାଁ ଘୋଷଣା କରାଯାଇନାହିଁ ।
Follow Us