ଇସ୍ରୋର ଆଉ ଏକ ସଫଳତା : ଗଗନଯାନ ମିଶନ୍ ପୂର୍ବରୁ ମହାକାଶକୁ ଯିବ ମହିଳା ଅର୍ଦ୍ଧମାନବୀ ରୋବୋର୍ଟ . . . ‘ବ୍ୟୋମମିତ୍ରା’ର ପ୍ରଥମ ଝଲକ୍ ଦେଖିଲା ବିଶ୍ୱ

253

କନକ ବ୍ୟୁରୋ : ଇସ୍ରୋର ଆଉ ଏକ ସଫଳତା । ଭାରତୀୟ ଅନ୍ତରୀକ୍ଷ ସଂଗଠନ ଇସ୍ରୋ, ଗଗନଯାନ ମିଶନ ପୂର୍ବରୁ ତିଆରି କରିଥିବା ଅର୍ଦ୍ଧମାନବୀ ରୋବୋର୍ଟର ପ୍ରଥମ ଝଲକ ଦେଖିବାକୁ ମିଳିଛି । ସାରା ଦୁନିଆ ସାମ୍ନାରେ ଅର୍ଦ୍ଧମାନବୀ ରୋବୋର୍ଟ ବ୍ୟୋମମିତ୍ରାକୁ ଉପସ୍ଥାପନ କଲା ଇସ୍ରୋ । ଗଗନଯାନ ମିଶନ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି । ଇସ୍ରୋ ମୁଖ୍ୟ କେ.ଶିବନ୍ କହିଛନ୍ତି, ଡିସେମ୍ବର ୨୦୨୧ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଯାନ ଗଗନଯାନ ଉତକ୍ଷେପଣକୁ ନଜର ରଖି ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ରେ ଅର୍ଦ୍ଧ-ମାନବାକୃତି ରୋବୋର୍ଟ ପ୍ରେରଣ କରିବାକୁ ଯୋଜନା କରାଯାଉଛି ।

ବ୍ୟମୋମିତ୍ରା ଏକ ଅର୍ଦ୍ଧମାନବୀ ରୋବର୍ଟ । ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି । ଏହିି ରୋବର୍ଟ ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ । ଏହି ରୋବର୍ଟରେ ମାନବ ଶରୀର ସହ ସମ୍ମନ୍ଧିତ କିଛି ଯନ୍ତ୍ରପାତି ଲାଗିଛି, ଯାହା ମହାକାଶରେ ମାନବ ଶରୀର ସଂରଚନା ଉପରେ ହେଉଥିବା ପରିବର୍ତ୍ତନକୁ ଅଧ୍ୟୟନ କରିବ । ମହାକାଶକୁ ପ୍ରକୃତ ମନୁଷ୍ୟ ପ୍ରେରଣ କରିବା ପୂର୍ବରୁ ଏହି ରୋବୋର୍ଟ ଇସ୍ରୋକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋର ବୈଜ୍ଞାନିକ ସାମ ଦୟାଲ କହିଛନ୍ତି ।

ଇସ୍ରୋର ଗଗନୟାନ ମାନବ ମିଶନରେ ସାମିଲ୍ ହେବାକୁଥିବା ୪ ଜଣ ମହାକାଶଚାରୀଙ୍କୁ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ତାଲିମ ପାଇଁ ରୁଷିଆ ପଠାଯିବ । ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ । ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ । ଗଗନୟାନ ମିଶନ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ ବୋଲି ଆଶା କରାଯାଇଛି ।

ଆସନ୍ତା ୨୦୨୨ ରେ ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକଳ୍ପକୁ ସବୁଜ ସଂକେତ ଦେଇ ପ୍ରାୟ ୧୦ ହଜାର କୋଟି ମଂଜୁର କରିଛନ୍ତି ।