ଭୋଟ ଦେଉଛି ଓଡ଼ିଶା : ଦିନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ

104

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ମତଦାନ । ସକାଳ ୭ଟାରୁ ଆଜି ମତଦାନ ଆରମ୍ଭ ହୋଇଛି । ରାଜ୍ୟରେ ଦିନ ୩ ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି । ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୯% ଓ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିବାର ସୂଚନା ମିଳିଥିଲା ।

ରାଜ୍ୟରେ ମୋଟ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ଭୋଟ ପଡ଼ୁଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ,ଯେଉଁଥିରେ ୯୫ ଲକ୍ଷ ୬୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛିବେ । ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସେଥିରୁ ୪୧୧ଟି ପାଇଁ ସିଏପିଏଫ ସୁରକ୍ଷା ବଳ ମୁତୟନ କରାଯିବା ସହ ୧ ହଜାର ୧୨୬ଟି ବୁଥରେ ୫୫୪ଟିରେ ସିସିଟିଭି, ୫୯୫ଟିରେ ମାଇକ୍ରୋ ଅବଜରଭର, ୨୪୦ଟି ବୁଥର ଭିଡିଓଗ୍ରାଫି, ୧୬୬ଟିରେ ସ୍ଥିର ଫଟୋଚିତ୍ର ପାଇଁ ବ୍ୟବସ୍ଥା କରାଯାଇଛି ।