ମାଓପ୍ରବଣ ଅଞ୍ଚଳରେ ସ୍ବାଭାବିକ ମତଦାନ ! କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍ ଦେଲେ ଭୋଟର

79

କନକ ବ୍ୟୁରୋ : ପାଟଣାଗଡ଼ ନିର୍ବାଚନମଣ୍ଡଳୀ ମାଓପ୍ରବଣ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଗତ ୧୦ ତାରିଖରେ ମାଓବାଦୀମାନଙ୍କ ପକ୍ଷରୁ ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପରିସରରେ ମାଓ ପୋଷ୍ଟର ‌ଓ ବେନରରେ ଭୋଟ ବର୍ଜନ ପାଇଁ ଆହ୍ବାନ ଦିଆ ଯାଇଥିଲା । ଗୁରୁବାର ୧୮ ତାରିଖ ମାଓପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେ ଗୁଡିକରେ ମତଦାନ କରିବା ପାଇଁ ଅଞ୍ଚଳବାସୀ ଅତି ଉତ୍ସାହରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ଏହି ନିର୍ବାଚନମଣ୍ଡଳୀର ସମୁଦାୟ ୩୪୨ଟି ବୁଥ ମଧ୍ୟରୁ ୪୭ଟି ସମ୍ବେଦନଶୀଳ ବୁଥ ଥିଲା । ମାଓପ୍ରବଣ ଅଞ୍ଚଳରେ ଗତ ୧୫ ତାରିଖରୁ କମ୍ବିଂ ଜୋରଦାର କରା ଯାଇଥିଲା । ଏହା ୧୯ ତାରିଖ ପର୍ଯ୍ୟନ୍ତ କରାଯିବ । ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ପାଣ୍ଡେସରା, ବାଘମୁଣ୍ଡ, ଗୁଞ୍ଚାଡିହି, ଡାଙ୍ଗବାହାଲ, ଦମକିପାଲି, ଚନ୍ଦନଜୁରୀ ଆଦି ମାଓପ୍ରବଣ ଅଞ୍ଚଳର ଅତି ସମ୍ବେଦନଶୀଳ ବୁଥମାନଙ୍କରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା ।

ଏ ଅଞ୍ଚଳରେ ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ ଓ ଏସଡିପିଓ ସୁରେଶ ନାଏକ ପ୍ରମୁଖ ବୁଲୁଥିଲେ । ‌ସେହିପରି ଖପ୍ରାଖୋଲ ବ୍ଲକର ଅତି ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫ ଯବାନ ଓ ପୁଲିସ ମୁତୟନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ବିଡିଓ ତରଣୀ ସୁନା ଓ ଥାନାଧିକାରୀ ଜ୍ୟୋତି ରଞ୍ଜନ ପତି ବୁଲୁଥିଲେ । ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ବୁଥରେ ଇଭିଏମ ତ୍ରୁଟି ରହିଥିଲା ।

ମାଟିଆଭଟାରେ ଦୁଇଟି ମେସିନ ସହିତ ରେଙ୍ଗାଲି ପଞ୍ଚାୟତର ଆମବାହାଲି, ମହରାପଦର ପଞ୍ଚାୟତର ବାଗଝରନ୍, ତେଲେନପାଲି ପଞ୍ଚାୟତର ଘୁଚାପାଲି, ଟଙ୍କପାଣି ପଞ୍ଚାୟତର ବୁଢାଛାପର ଆଦି ବୁଥରେ ଇଭିଏମରେ ତ୍ରୁଟି ହେବାରୁ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଖପ୍ରାଖୋଲ ବ୍ଲକ ମାଓପ୍ରବଣ ଅଞ୍ଚଳର ରେଙ୍ଗାଲି, ତେଲେନପାଲି, ଯମୁନାପାଲି, ବେନ୍ଦେର, ବାଗଝରନ୍, ସାପମୁଣ୍ଡ, ଖୁରିପାନି ଆଦି ବୁଥରେ ସିଆରପିଏଫ ଯବାନମାନଙ୍କ ଛାଉଣି ରହିଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଭୋଟରମାନେ ନିଜ ମନରୁ ଭୟ ଦୂର କରି ଉତ୍ସାହର ସହିତ ବୁଥଗୁଡ଼ିକରେ ପହଞ୍ଚି ମତଦାନ କରୁଥିବା ଦେଖିବାକୁ ମିଳିଥିଲା ।