ଏଥର କେମିତି ହେବ ଭୋଟ ଗଣତି ? ଆରମ୍ଭ ହେଲା ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,୭ଟି ଲେଖାଁଏଁ ଟେବୁଲରେ ହେବ ଲୋକସଭା ଓ ବିଧାନସଭାର ଭୋଟ ଗଣତି

264

କନକ ବ୍ୟୁରୋ : ବାତ୍ୟା ଫୋନି ମାଡ଼ରେ ଥଣ୍ଡା ପଡ଼ିଥିବା ରାଜନୈତିକ ବାତାବରଣ ପୁଣିଥରେ ସରଗରମ ହେବାକୁ ଯାଉଛି । ୨୩ ତାରିଖରେ ହେବାକୁ ଥିବା ମତଗଣନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ । ସେପଟେ ବାତ୍ୟା ଯୋଗୁଁ ଇଭିଏମ ଓ ଭିଭିପ୍ୟାଟ ମେସିନ୍ ପ୍ରଭାବିତ ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଆସନ୍ତା ୨୩ରେ ଦେଶ ଓ ରାଜ୍ୟର ରାଜନୈତିକ ଭବିଷ୍ୟତ ସହ ହେବାକୁ ଯାଉଛି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ବାତ୍ୟା ଫୋନି ପାଇଁ ଶିଥିଳ ହୋଇ ପଡ଼ିଥିବା ରାଜନୈତିକ ବାତାବରଣ ପୁଣିଥରେ ସରଗରମ ହେବାକୁ ଯାଉଛି । ମତଗଣନା କିଭଳି ସୁରୁଖୁରୁରେ ହେବ ସେନେଇ ଆରମ୍ଭ ହେଲା ପ୍ରସ୍ତୁତି । ଏ ହେଉଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ । ଯେଉଁଥିରେ ମାଷ୍ଟର ଟ୍ରେନରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଆସନ୍ତା ୧୩ ଓ ୧୪ ତାରିଖରେ ୩୦ ଜଣ ଜିଲ୍ଲାପାଳ ଅର୍ଥାତ୍ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯିବ । ସେହିପରି ୧୫ରୁ ୧୯ ତାରିଖ ଯାଏଁ ଇଭିଏମ, ଭିଭିପ୍ୟାଟ ଓ ପୋଷ୍ଟାଲ ବ୍ୟାଲଟ ଗଣତି ସଂପର୍କରେ ରହିଛିି ଜିଲ୍ଲା ସ୍ତରୀୟ ଟ୍ରେନିଂ କାର୍ଯ୍ୟକ୍ରମ ।

ସେପଟେ ବାତ୍ୟା ଯୋଗୁଁ ଇଭିଏମ ଓ ଭିଭିପାଟ ସୁରକ୍ଷା ନେଇ ଯେଉଁ ସଂଦେହ ଥିଲା, ତାକୁ ଦୂର କରିଛନ୍ତି ନିର୍ବାଚନ ଅଧିକାରୀ । କେବଳ ପୁରୀର ଷ୍ଟ୍ରଙ୍ଗ ରୁମର ବାଉଣ୍ଡ୍ରି ଭାଂଗିଛି, ଅନ୍ୟ ସବୁ ସ୍ଥାନରେ ଇଭିଏମ୍ ସୁରକ୍ଷିତ ରହିଥିବା କହିଛନ୍ତି ସିଇଓ । ପୁରୀର ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପାଇଁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଆସନ୍ତା ୧୯ ତାରିଖରେ ଅର୍ଥାତ୍ ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନରେ ଓଡିଶାର କିଛି ସ୍ଥାନରେ ହୋଇପାରେ ରିପୋଲିଂ । ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ ସହ ମୋଟ ୩୪ଟି ବୁଥରେ ସାନି ମତଦାନ ହେବାର ରହିଛି ।