ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ବିକଳ ରୂପ : ୱେବସାଇଟ୍ ଦେଖି ପାଠି ପଢ଼ାଉଛନ୍ତି ଶିକ୍ଷକ, ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ନାହିଁ

191

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଭିତ୍ତିକ ତଥା ଆତ୍ମନିର୍ଭରଶୀଳ ଶିକ୍ଷା‌ ଦେବା ପାଇଁ ହାଇସ୍କୁଲରେ ଆରମ୍ଭ ହୋଇଛି ଧନ୍ଦାମୂଳକ ଶିକ୍ଷା । ହିନ୍ଦୀ, ସଂସ୍କୃତ ବଦଳରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହାକୁ ତୃତୀୟ ବିଷୟ ଭାବେ ଚୟନ କରି ପଢ଼ୁଛନ୍ତି । ଏବେ ଏହି ପାଠ୍ୟକ୍ରମ ପରିଚାଳନାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି  । ୨୦୧୬-୧୭ରେ ଯେଉଁ ପାଠ୍ୟକ୍ରମ ପଢ଼ାଯାଉଥିଲା ଗତବର୍ଷ ହଠାତ୍‌ ସେଥିରେ ପରିବର୍ତନ କରାଯାଇଛି । ପାଠ୍ୟକ୍ରମ ନା ବି ବଦଳିଛି । ତେବେ ପିଲାଙ୍କୁ ଏ ପର୍ଯ୍ୟନ୍ତ ମିଳିପାରିନି ପାଠ୍ୟପୁସ୍ତକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହିର ବ୍ୟବସ୍ଥା ହୋଇନି କି ବଜାରରେ ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ଉପଲବ୍ଧ ହେଉନି । ତେଣୁ ପିଲା କେମିତି ପଢ଼ିବେ ? କିଭଳି ମାଟ୍ରିକ୍‌ ପରୀକ୍ଷା ଦେବେ? ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ଶିକ୍ଷକମାନେ ଏବେ ନାଚାର । ବହି ମିଳୁ ନ ଥିବାରୁ ସେମାନଙ୍କ ଲାଗି ୱେବସାଇଟ୍‌ ହିଁ କେବଳ ଭରସା ।

୨୦୧୬-୧୭ ଶିକ୍ଷା‌ବର୍ଷରେ ରାଜ୍ୟର ୨୦୮ଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟତଃ ୪ଟି ବିଷୟ ଯଥା ‘ଟ୍ରାଭେଲ ଓ ଟୁରିଜିମ୍‌’, ‘ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଫାଇନାନ୍ସ’, ‘ରିଟେଲ ମ୍ୟାନେଜ୍‌ମେଣ୍ଟ’ ଓ ଆଇଟି ବିଷୟ ରଖାଯାଇଛି । ପ୍ରଥମ ଥର ଲାଗି ୨୦୧୬-୧୭ରେ ୯ମ ଶ୍ରେଣୀରେ ଏହା ଲାଗୁ ହୋଇଥିଲା । ଏହି ବିଷୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ୨୦୧୮ରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସମସ୍ତ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଦୁଇ ବର୍ଷ ନ ବିତୁଣୁ ହଠାତ୍‌ ପାଠ୍ୟକ୍ରମ ପରିଚାଳନା କରୁଥିବା ସଂସ୍ଥା ବଦଳା ଯାଇଥିଲା । ‘ୱାଧାନି ଫାଉଣ୍ଡେସନ’ ବଦଳରେ ‘ଲ୍ୟାଣ୍ଡ ଇନ୍‌ ହାଣ୍ଡ’ ହାତରେ ପାଠ୍ୟକ୍ରମର ଭାଗ୍ୟକୁ ଟେକି ଦିଆଗଲା ।

 

ନୂଆ ସଂସ୍ଥା‌ ଦାୟିତ୍ବ ନେବା କ୍ଷଣି ପାଠ୍ୟକ୍ରମରେ ବ୍ୟପକ ପରିବର୍ତ୍ତନ କଲା। ୨୦୧୮-୧୯ ଶିକ୍ଷାବର୍ଷରେ ‘ଟ୍ରାଭେଲ ଓ ଟୁରିଜିମ୍‌’ ଓ ‘ବ୍ୟାଙ୍କିଙ୍ଗ୍‌ ଆଣ୍ଡ ଫାଇନାନ୍ସ’ ପାଠ୍ୟକ୍ରମକୁ ଉଠାଇ ଦିଆଗଲା । ‘ଟ୍ରାଭେଲ ଓ ଟୁରିଜିମ୍‌’ ବଦଳରେ ‘ଟୁରିଜିମ୍‌ ଓ ହସ୍ପିଟାଲିଟି’ ପାଠ୍ୟକ୍ରମ ପ୍ରଚଳନ ହେଲା । ତେବେ ପାଠ୍ୟକ୍ରମ ପରିବର୍ତନ ପୂର୍ବରୁ ପାଠ୍ୟପୁସ୍ତକ କଥା ଚିନ୍ତା କରାଗଲା ନାହିଁ । ଗତବର୍ଷ ୯ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୂତନ ନିୟମ ଲାଗୁ କରାଗଲା । ପିଲାମାନେ ‘ଟୁରିଜିମ୍‌ ଓ ହସ୍ପିଟାଲିଟି’ ବିଷୟ ରଖିଲେ ସିନା, ହେଲେ ବର୍ଷେ ବିତିଗଲା ପାଠ୍ୟପୁସ୍ତକ ମିଳିଲାନି । ବିନା ପାଠ୍ୟପୁସ୍ତକରେ ୯ମ ‌ଶ୍ରେଣୀ ପଢ଼ିଲେ ଛାତ୍ରଛାତ୍ରୀ । ଗତବର୍ଷ ୯ମ ଶ୍ରେଣୀରେ ପଢ଼ୁଥିବା ପିଲା ଏବେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ୭ ମାସ ପରେ ମାଟ୍ରିକ୍‌ ପରୀକ୍ଷା ଦେବେ । ତେବେ ଏ ପର୍ଯ୍ୟନ୍ତ ପିଲାଙ୍କ ପାଖରେ ବହି ନାହିଁ । ଏ ନେଇ ଛାତ୍ରଛାତ୍ରୀ ସ୍କୁଲ କର୍ତୃପକ୍ଷଙ୍କ ଦ୍ବାରସ୍ଥ ହେଉଛନ୍ତି। ସ୍କୁଲ କର୍ତୃପକ୍ଷ ବି ଉପରିସ୍ଥ ଅଧିକାରୀଙ୍କୁ ଜଣାଉଛନ୍ତି। ତା’ପରେ ବି ବହି ମିଳୁନି ।

ମିଳିଥିବା ସୂଚନା ଅନୁଯାୟୀ ଧନ୍ଦାମୂଳକ ପାଠ୍ୟକ୍ରମର ପାଠ୍ୟପୁସ୍ତକ ପ୍ରସ୍ତୁତ ଲାଗି ଭୋପାଳଠାରେ ପାଠ୍ୟପୁସ୍ତକ ଛପାଯାଇଥାଏ । ତେ‌ବେ ‘ଟୁରିଜିମ୍‌ ଓ ହସ୍ପିଟାଲିଟି’ ବିଷୟର ପାଠ୍ୟପୁସ୍ତକ ଏ ପର୍ଯ୍ୟନ୍ତ ଛପାଯାଇ ନାହିଁ । କେବେ ଛପାଯିବ ସେନେଇ କାହା ପାଖରେ ଉତ୍ତର ନାହିଁ । ବିଭାଗୀୟ ଅଧିକାରୀମାନେ ଏବିଷୟରେ ମୁହଁ ଖୋଲୁନାହାନ୍ତି । ହାଇସ୍କୁଲର ପ୍ରଧାନଶିକ୍ଷକମାନେ ବି ହାତ ଟେକି ଦେଲେଣି । ଆମେ କିଛି କରିପାରିବୁ ନାହିଁ ବୋଲି କହୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ପାଠ୍ୟକ୍ରମରେ ପରିବର୍ତନ କରାଗଲା ? ଯଦି ପରିବର୍ତନ କରାଗ‌ଲା ତେବେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଲାନି କାହିଁକି ? ପିଲା କେଉଁଠୁ ପାଇବେ ପୁସ୍ତକ? ଶିକ୍ଷକମାନେ କ’ଣ ୱେବସାଇଟ୍‌ ଦେଖି ବର୍ଷ ସାରା ପଢ଼ାଉଥିବେ ?