ଭୋକାଲ ଫର୍ ଲୋକାଲ୍ । ମହାମାରୀ ଆଣିଲା ସୁଯୋଗ । ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଦିବ୍ୟାଂଶୁ ମିତ୍ତଲ୍ 

511

କନକ ବ୍ୟୁରୋ : ମହାମାରୀ ସମୟରେ ତାଜନଗରୀର ଯୁବବ୍ୟବସାୟୀ ଲେଖିଲେ ପ୍ରେରଣାଦାୟୀ କାହାଣୀ । ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଆଗ୍ରାର ଦିବ୍ୟାଂଶୁ ମିତ୍ତଲ୍ । ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶ ଲକଡାଉନରେ ରହିବା ପରେ ସେ କରୁଥିବା ଜୋତା ବ୍ୟବସାୟ ଠପ୍ ହୋଇଗଲା । ମୁଣ୍ଡ ଉପରେ ଥିବା ପୂରା ପରିବାରର ଭାର, କାରଖାନାରେ କାମ କରୁଥିବା କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇପଡ଼ୁଥିଲା । କ’ଣ କରିବେ, କିପରି ପରିବାରର ପେଟ ପାଳିବେ ଚିନ୍ତା କରି ଯୁବ ବ୍ୟବସାୟୀଙ୍କ ମୁଣ୍ଡ କାମ କରୁନଥିଲା । ହେଲେ ହାରନମାନି ବିପଦକୁ ସୁଯୋଗରେ ପରିବର୍ତ୍ତନ କଲେ ଯୁବ ବ୍ୟବସାୟୀ । ଜୋତା ସିଲେଇ ମେସିନରେ ଫଟୋ ଥିବା ମାସ୍କ ତିଆର କଲେ । ତେବେ ସବୁଠାରୁ ଖୁସିର କଥା ହେଲା ଲୋକଙ୍କ ଭିତରେ ବେଶ୍ ଆଦୃତ ହେଲା ଏହି ମାସ୍କ । ଆଉ ଭଲ ଦୁଇ ପଇସା ରୋଜଗାର କରିବା ସହ ଅଳ୍ପ ଦିନରେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ।

ଆଗ୍ରାରେ ଏକ ଜୋତାର କାରଖାନାର ମାଲିକ ୨୯ ବର୍ଷିୟ ଦିବ୍ୟାଂଶୁ ମିତ୍ତଲ । କରୋନା କାଳରେ ଦୋକାନ ବଜାର, କଳକାରଖାନା ବନ୍ଦ ହେବା ସହ ବେପାର ଠପ୍ ହୋଇଗଲା । କାରଖାନାର ୧୫ ଜଣ କର୍ମଚାରୀଙ୍କ ଦରମା, ବିଜୁଳି ବିଲ ସହିତ ଘର ଖର୍ଚ୍ଚ ଉଠାଇବା କିପରି ଚିନ୍ତା କରି କରି ଭାଳିହେଉଥିଲେ । ହେଲେ ମୁସ୍କିଲ ସମୟରେ ବିଷାଦଗ୍ରସ୍ତ ନହୋଇ କିଛି ନୂଆ କରିବାର ପାଇଁ ମନ ବଳାଇଥିଲେ । ଫ୍ୟାକ୍ଟ୍ରିରେ ବ୍ୟବହାର ହେଉଥିବା କ୍ଲିନିଂ ମେସିନର ଡିଜାଇନରେ ଅଳ୍ପ ପରିବର୍ତ୍ତ କରି ମାସ୍କ ତିଆରି କରିବାରେ ଜୁଟିଗଲେ । ଥରେ ଦୁଇ ଥର ପରୀକ୍ଷାମୂଳକ ପ୍ରୟୋଗ ପରେ ସଫଳ ହେଲେ ଯୁବ ବ୍ୟବସାୟୀ । ରାତି ରାତି ଅନିଦ୍ରା ରହି ଫଟୋ ଥିବା ମାସ୍କ ତିଆର କରିବା ଆରମ୍ଭ କରିଦେଲେ । ଆଉ ଅନଲାଇନ୍ କାରବାର ମାଧ୍ୟମରେ ତାଙ୍କ ପାଖକୁ ଅଧିକରୁ ଅଧିକ ଅର୍ଡ଼ର ଆସିବାରେ ଲାଗିଲା । ସଂକ୍ରମଣ ସମୟରେ ଭଲ ବ୍ୟବସାୟ ମଧ୍ୟ ହେଲା ।

ସାଧାରଣ ଦିନ ଅପେକ୍ଷା ସଙ୍କଟ ସମୟ ସମୟ ଦିବ୍ୟାଂଶୁଙ୍କ ପାଇଁ ଅସବର ଆଣିଲା ଏବଂ ଭାଗ୍ୟ ବଦଳାଇଦେଲା । ଅଳ୍ପ ଦିନରେ ଭଲ ବ୍ୟବସାୟ ହେବାରୁ ଆଗ୍ରା ସହିତ ମୁମ୍ବାଇ, ପୁନେ, ଦିଲ୍ଲୀ ଓ ପଞ୍ଚାବରୁ କଲ୍ ଆସିବାରେ ଲାଗିଲା । ଅନଲାଇନ୍  ଟ୍ରେନିଂ ଦେବା ପାଇଁ ଅନୁରୋଧ କଲେ କ୍ଷତି ସହୁଥିବା ବ୍ୟବସାୟୀ । ଦିବ୍ୟାଂଶୁଙ୍କ କହିବା ଅନୁସାରେ, ସଙ୍କଟ ସମୟରେ ଚିନ୍ତାଗ୍ରସ୍ତ ନହୋଇ ସ୍ଥିତିର ମୁକାବିଲା କରିବା ରହିଲା ନିଜ ହାତରେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବ ବି ସମ୍ଭବ ହୋଇପାରିବ । କରୋନା କାଳରେ ଲେଖାହେଲା ସଫଳତାର ଅଧ୍ୟାୟ ।