କନକ ବ୍ୟୁରୋ : କରୋନା ପାଇଁ କୋକୁଆ ଭୟ । କରୋନା ଭାଇରସ୍ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଏବେ ଜୀବଜନ୍ତୁ ବି ଭାଇରସ ସଂକ୍ରମଣରୁ ବର୍ତ୍ତି ନାହାନ୍ତି । ଚୀନର ହଙ୍ଗକଙ୍ଗ ସହରରେ କରୋନାରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ମଧ୍ୟ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମଣିଷ ଦେହରୁ ପ୍ରାଣୀ ଦେହକୁ ଭୂତାଣୁ ସଂକ୍ରମଣର ଏହା ପ୍ରଥମ ଘଟଣା ବୋଲି ବୁଧବାର ଦିନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି।
କୁକୁରଟି କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ଜଣେ ୬୦ ବର୍ଷୀୟ ମହିଳାଙ୍କର ବୋଲି ଜଣାପଡ଼ିଛି। ଏହି କୁକୁରକୁ ‘ଆନିମଲ୍ ସେଣ୍ଟର୍’ରେ ପୃଥକ୍ ରଖାଯାଇ ବାରମ୍ବାର ପରୀକ୍ଷା କରାଯାଇଛି । ପ୍ରତି ପରୀକ୍ଷାରେ ସେ କୁକୁର ଦେହରେ ଆଂଶିକ ସଂକ୍ରମଣ ଥିବା ଜଣାପଡୁଛି । ହଙ୍ଗକଙ୍ଗ ସହରର କୃଷି, ମତ୍ସ୍ୟ ଏବଂ ସଂରକ୍ଷଣ ବିଭାଗ ସଂକ୍ରମିତ କୁକୁରଟିକୁ ବାରମ୍ବାର ପରୀକ୍ଷା କରିଛନ୍ତି। କିନ୍ତୁ, ‘ପୋମେରାନିଆନ୍’ ପ୍ରଜାତିର ଏହି କୁକୁର ଦେହରେ ନିମ୍ନ ସ୍ତରର ସଂକ୍ରମଣ ଥିବା ଜଣାପଡୁଛି।
ମଣିଷ ଦେହରୁ ଭୂତାଣୁ ପ୍ରାଣୀ ଦେହକୁ ସଂକ୍ରମିତ ହେବାରେ ଏହା ସମ୍ଭବତଃ ପ୍ରଥମ ଘଟଣା ବୋଲି ‘ଓ୍ଵର୍ଲଡ୍ ଅର୍ଗାନାଇଜେସନ୍ ଫର୍ ଆନିମଲ୍ ହେଲ୍ଥ୍’ର ବିଶେଷଜ୍ଞମାନେ କହିଛନ୍ତି । ଏଥିପାଇଁ ହଂକଙ୍ଗ୍ ସରକାର ଶୁକ୍ରବାର ଠାରୁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଭାଇରସ୍ରେ ଆକ୍ରାନ୍ତ ସମସ୍ତ ପୋଷାଜନ୍ତୁଙ୍କୁ ୧୪ ଦିନ ଲାଗି ପୃଥକ୍ ରଖାଯିବ ବୋଲି ସରକାର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/DOG.jpg)