ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ପାଲଟିଛି କରୋନା ଭୂତାଣୁ । କୌଣସି ସାମଗ୍ରୀ ଛୁଇଁଲେ ଲାଗୁଛି ଡର, ସାମାଜିକ ଦୂରତା ଯୋଗୁଁ ଜୀବନଯାପନରେ ସୃଷ୍ଟି ହେଉଛି ଭୀଷଣ ସମସ୍ୟା । ଏପଟେ ଡାକ୍ତର ଦୃଷ୍ଟିହୀନଙ୍କୁ ଅଧିକ ସଚେତନ ରହିବାକୁ ଦେଲେ ପରାମର୍ଶ 

223

କନକ ବ୍ୟୁରୋ : କରୋନା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । କାହାକୁ ଛୁଇଁବାକୁ କୌଣସି ମତେ ପ୍ରଶ୍ରୟ ନଦେବାକୁ ଦିଆଯାଉଛି ପରାମର୍ଶ । ଏହି ସମୟରେ ଦେଖିପାରୁ ନଥିବା ବ୍ୟକ୍ତି ପାଇଁ କେତେ ଅସୁବିଧା ସୃଷ୍ଟି ହେଉଥିବା ତାହା କଳନା କରିବା ବାହାରେ ।

କରୋନା କାଳରେ ଏମିତି ଜଣେ ନାହାଁନ୍ତି, ଯିଏ ପ୍ରଭାବିତ ହୋଇ ନାହାଁନ୍ତି । ଜୀବନ ଧାରଣରେ ଏକ ବଡ଼ ପରିବର୍ତନ ଆଣିଛି ଭୂତାଣୁ । ଆଉ ଏହି ପରିବର୍ତନର ବଡ଼ ପ୍ରଭାବ ପଡ଼ିଛି ଦୃଷ୍ଟିହୀନଙ୍କ ଉପରେ । କାରଣ କରୋନାଠୁ ନିଜକୁ ଦୂରେଇ ରଖିବା ପାଇଁ ଯେଉଁ କିଛି ସତର୍କତାମୂଳକ ପଦକ୍ଷେପ ଆମ ପାଖରେ ଉପଲବ୍ଧ ଅଛି, ତାହା ଦୃଷ୍ଟିହୀନଙ୍କୁ ବେଶ ଅଡୁଆରେ ପକାଇ ଦେଉଛି ।

ସାଧାରଣତଃ ଦୃ୍ଷ୍ଟିହୀନମାନେ କୌଣସି ପଦାର୍ଥକୁ ଛୁଇଁ ହିଁ ଜାଣନ୍ତି ପଦାର୍ଥଟି କ’ଣ? ଆଉ ଏବେ କରୋନା କାଳରେ କୌଣସି ଦ୍ରବ୍ୟ ବା ପଦାର୍ଥ ଛୁଇଁବା ସଂକଟ ଆଣିପାରେ । ସାଧାରଣତଃ ଦୃଷ୍ଟିହୀନମାନେ ଲୋକଙ୍କ ସ୍ୱର ଶୁଣି ଜାଣନ୍ତି ଯେ, ତାଙ୍କ ସାମ୍ନାରେ କିଏ ଅଛନ୍ତି । କିନ୍ତୁ ଏବେ ସାମାଜିକ ଦୂରତା ଯୋଗୁଁ କାହା ପାଖକୁ ଯିବା ସମସ୍ୟା ସୃଷ୍ଟି କରିପାରେ । ଆଉ ଏଭଳି ସ୍ଥିତିରେ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଦୃଷ୍ଟିହୀନ ।

ବଡ଼ କଥା ହେଉଛି ଭୁବନେଶ୍ୱରରେ ଥିବା ଓଡ଼ିଶା ଦୃଷ୍ଟିହୀନ ସଂଘର ୧୬ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଆସିଥିଲେ । ଆଉ ଏଭଳି ସ୍ଥିତିରେ ଆହ୍ୱାନ ଆହୁରୀ ବଢ଼ିଯାଇଛି । ଏପଟେ ଡାକ୍ତରଙ୍କ କହିବାର କଥା ହେଉଛି-ସଂକ୍ରମିତ ସ୍ଥାନ କିମ୍ବା ସଂକ୍ରମିତ ପଦାର୍ଥ ଛୁଇଁଲେ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ତାଙ୍କ ଜୀବିକା ଏବଂ ଜୀବନ ସାଧରଣରେ ସମସ୍ୟା ହୋଉଛି । ଏଭଳି ସ୍ଥିତିରେ ଅତି ଦରକାର ନହେଲେ ଦୃଷ୍ଟିହୀନମାନେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।