ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ : ଧର୍ମଗଡରେ ପରୀକ୍ଷାର ଘଣ୍ଟେ ନପୁରୁଣୁ ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର, କିଛି ସମୟ ପରେ ସ୍ପଷ୍ଟ ହେବ ପ୍ରଶ୍ନପତ୍ର ଅସଲି କି ନକଲି

3,902

କନକ ବ୍ୟୁରୋ : ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ । ପରୀକ୍ଷାର ପ୍ରଥମ ଦିନରେ ଧର୍ମଗଡରେ ଘଣ୍ଟେ ନପୂରୁଣୁ ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ । କିଛି ସମୟ ପରେ ପରୀକ୍ଷା ଶେଷ ପରେ ଏହା ସ୍ପଷ୍ଟ ହେବ । ତେବେ କେଉଁ ପରୀକ୍ଷା କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଜଣାପଡିନାହିଁ । ଗତବର୍ଷ ବି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରୀକ୍ଷା ପ୍ରଶ୍ନପତ୍ର ଯେପରି ପରୀକ୍ଷା କେନ୍ଦ୍ର ବାହାରକୁ ନଆସେ ସେ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିଲା ।

ସେପଟେ ଆଉ କିଛି ସମୟ ପରେ ଅର୍ଥାତ ସାଢେ ୧୨ଟାରେ ସରିବ ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ୟାକେଟ ଖୋଲାଯାଇ ୯ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଛି । ତେବେ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ୍ ସମୟ ଦିଆଯିବ । ଅର୍ଥାତ ଗଣିତ ଦିନ ପରୀକ୍ଷା ୧୨ଟା ୪୫ରେ ସରିବ । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିପାରିବେ ନାହିଁ । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳୁ ସକାଳୁ ପ୍ରଶ୍ନପତ୍ର ନୋଡାଲ ସେଂଟରରୁ ଡେସପାଚ ଟିମ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ପହଁଚାଯାଇଥିଲା । । ସେହି ଟିମ ପରୀକ୍ଷା ଶେଷ ହେବା ପରେ ଖାତାକୁ ଆଣି ପୁଣି ନୋଡାଲ ସେଂଟରରେ ଡିପୋଜିଟ୍ କରିବେ ।

ସେପଟେ ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ବିଧାନସଭା ଚାଲିଥିଲେ ମଧ୍ୟ ପରୀକ୍ଷା କେମିତି ଚାଲିଛି ତାର ଅନୁଧ୍ୟାନ ପାଇଁ କ୍ୟାପିଟାଲ ହାଇସ୍କୁଲକୁ ମନ୍ତ୍ରୀ ଯାଇଛନ୍ତିି । ପରୀକ୍ଷାକୁ ଶାନ୍ତିଶୃଙ୍ଗଳାର ସହ ଚାଲିଛି କି ନାହିଁ ତାହା ଅନୁଧ୍ୟାନ କରିଛନ୍ତି ।