କରୋନା ମହାମାରୀ ସଂକଟ : ଭୟରେ ଟଙ୍କାକୁ ବି ସାବୁନରେ ଧୋଉଛନ୍ତି ଲୋକେ

696

କନକ ବ୍ୟୁରୋ : କରୋନାର ବିଭୀଷିକା ସାଧାରଣ ଲୋକଙ୍କ ମନରେ ଏଭଳି କୋକୁଆ ଭୟ ସୃଷ୍ଟି କରିଛି ଯେ, ଏହାର ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଲୋକେ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥାକୁ ହାତଛଡ଼ା କରୁନାହାନ୍ତି । ଏପରିକି ସାର୍ବଜନୀନ ସଂସ୍ପର୍ଶରେ ଆସୁଥିବା ନୋଟ୍(ଟଙ୍କା) ମଧ୍ୟ ଲୋକେ ସାବୁନରେ ସଫା କରି ରଖିବା ବିଷୟ ଚର୍ଚ୍ଚାର ବିଷୟ ହୋଇଛି ।

କର୍ଣ୍ଣାଟକ ମାଣ୍ତ୍ୟ ଜିଲ୍ଲା ଅନ୍ତର୍ଗତ ମରଣଚକାନହଲ୍ଲି ଗାଆଁର କିଛି ଲୋକ ସେମାନଙ୍କ ପାଖରେ ଥିବା ଶହେ ଟଙ୍କିଆ, ପାଞ୍ଚଶହ ଟଙ୍କିଆ ଓ ଦୁଇ ହଜାର ଟଙ୍କିଆ ନୋଟ ସବୁକୁ ଭଲ ଭାବେ ପାଣି ମାରି ସାବୁନ ଫେଣରେ ଧୋଇ କନାରେ ଗଡ଼ାଇ ଶୁଖାଉଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ କହିବା କଥା, ସାମାଜିକ ଗଣମାଧ୍ୟମରେ ଜନୈକ ବ୍ୟକ୍ତି ହାତରେ ନୋଟ୍ ଧରି ସେଥିରେ ସିଂଘାଣୀ ଓ ଛେପ ପୋଛିବାର ଦୃଶ୍ୟ ସେମାନଙ୍କୁ ବିବ୍ରତ କରିଥିଲା । କରୋନା ବ୍ୟାପିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଧରିନେବା ସହ ଏପରି ନୋଟ୍ ସେମାନେ ହାତରେ ଧରିବେନି ବୋଲି ଚିନ୍ତା କରିଥିଲେ । ତେବେ ସେମାନଙ୍କୁ ଏହି ନୋଟ୍ ସବୁ ଟସର କୋଷା ବିକ୍ରି ବାବଦରେ ବେପାରୀଙ୍କ ଠାରୁ ମିଳିଥିଲା । ଏହି କଷ୍ଟଲବ୍ଧ ଧନକୁ କେମିତି ସାଇତି ରଖିବେ ଚିନ୍ତା କରି ସେସବୁକୁ ଏପରି ସାବୁନରେ ଭଲରେ ଧୋଇ ଶୁଖେଇ ରଖିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।