ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ! ପାଣି ଟୋପେ ପାଇଁ ଡହଳ ବିକଳ ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମବାସୀ

57

କନକ ବ୍ୟୁରୋ : ଖରାଦିନ ଆରମ୍ଭ ନହେଉଣି ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମବାସୀ । ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଥିବାବେଳେ ସେଥିରୁ ବାହାରୁଛି ଗୋଳି ପାଣି ।

ସ୍ୱଜଳ ଧାରାରେ ଜଳ ଯୋଗାଇଦେବା ପାଇଁ ଷ୍ଟାଣ୍ଡପୋଷ୍ଟ ରହିଛି ହେଲେ ସେସବୁ ଅଚଳ । ନାଳର ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ହରିଜନ ଆଦିବାସୀ ସଂପ୍ରଦାୟର ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ୱ ବାସିନ୍ଦା ବଘିଆପଡାରେ ବାସ କରନ୍ତି । ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଇବା ନିମନ୍ତେ ପ୍ରକଳ୍ପ ନିର୍ମାଣ ହୋଇଛି ।

ସ୍ଥାନେ ସ୍ଥାନେ ବି ବସିଛି ଷ୍ଟାଣ୍ଡ ପୋଷ୍ଟ କିନ୍ତୁ ସେସବୁ ଅଚଳ ହୋଇ ପଡି ରହିଛି । ଅନ୍ୟପଟେ ଗାଁ ଭିତରେ ରହିଛି ଗୋଟାଏ ନଳକୂପ ଯୋଉଥିରେ କି ବାହାରୁଛି ଗୋଳି ପାଣି । ଯାହାକି ନା ପିଇବା ପାଇଁ ଉପଯୋଗୀ ନା ରୋଷେଇ ପାଇଁ , ବାଧ୍ୟ ହୋଇ ଲୋକେ ମାଇଲ୍ ମାଇଲ୍ ଦୂର ଯାଉଛନ୍ତି ନାଳକୁ ପାଣି ଟୋପେ ପାଇଁ ।
ଆଉ ବାଧ୍ୟ ହୋଇ କେନାଲ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତ ଗାଁ ଲୋକେ ।

ପାଣି ବୁନ୍ଦାଏ ପାଇଁ ହାହାକାର ହୋଇ ପଡୁଛନ୍ତି ଗ୍ରାମ ବାସି । ଗ୍ରାମରେ ଥିବା ଏକ ମାତ୍ର ନଳକୂପରେ ସଦାସର୍ବଦା ଲାଗି ରହିଛି ଭିଡ । ଅନ୍ୟପଟେ ୨/୩ କିମି ଦୂରରେ ଥିବା ନାଳରୁ ଚୂଆ ଖୋଳି ପାଣି ଆଣୁଥିବା ବାଟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପଡୁଥିବା ଗାଁ ବାସିନ୍ଦା ଅଭିଯୋଗ କରିଛନ୍ତି । ଏପରିକି ଏହି ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ।

ଏ ନେଇ ସରପଂଚ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ଯାହାକୁ ଗୁହାରି କଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ଗ୍ରାମ ବାସିନ୍ଦାଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଇ ନ ଦେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏ ବିଷୟରେ ଅବଗତ ନଥିଲେ ବୋଲି କହିବା ସହ ନିଜେ ଗାଁକୁ ଯାଇ ଦେଖିବା ସହ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପାଣି ଟିକେ ପାଇଁ ଡହଳ ବିକଳ ହେଉଥିବା ଏହି ଗ୍ରାମବାସୀ ପାନୀୟ ଜଳର ସୁବିଧା କେବେ ପାଉଛନ୍ତି ତାହା ଦେଖିବାର କଥା ।