ଆମ ଜଙ୍ଗଲ ଆମେ ଜଗିବୁ . . . .୩୦ ବର୍ଷ ଧରି ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ବନ୍ୟପ୍ରାଣୀ ଶିକାର କରୁନାହାନ୍ତି କି ମାଂସ ଖାଉନାହାନ୍ତି

388

କନକ ବ୍ୟୁରୋ : ୩୦ ବର୍ଷ ଧରି ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ବନ୍ୟପ୍ରାଣୀ ଶିକାର କରୁନାହାନ୍ତି କି ମାଂସ ଖାଉନାହାନ୍ତି । ଅନୁଗୁଳ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କ‌ିଲୋମିଟର ଦୂର ଏହି ଗାଁ ହେଉଛି କୁଲାସିଙ୍ଗାସୁଦସାହି । ଏହି ଗାଁର ଲୋକମାନେ ୩୦ ବର୍ଷ ଧରି ପାଳିକରି ଜଙ୍ଗଲ ଜଗୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରତିଦିନ ଜଣେ ବ୍ୟକ୍ତି ଠେଙ୍ଗାଧରି ଜଙ୍ଗଲ ଜଗିବା ପାଇଁ ପଣ କରିଛନ୍ତି।

କୁଲାସିଙ୍ଗାସୁଦସାହିରେ ୨୮ ପରିବାରରେ ବାସ କରୁଛନ୍ତି ପାଖାପାଖି ୯୦ ଲୋକ। ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ଅଞ୍ଚଳରେ ରହିଛି ଏହି ଗାଁ। ଚାରିପାଖେ କୁଲାସିଙ୍ଗା ସଂରକ୍ଷିତ ଜଙ୍ଗଲ ଓ କିଛି ଚାଷଜମି। ଏହି ଜମିରେ ଚାଷକରି, ବନ୍ତଳା, ଅନୁଗୁଳ ସହର ଆଦି ଜାଗାକୁ ମୂଲ ଲାଗି ଗ୍ରାମବାସୀ ଚଳୁଛନ୍ତି। କେତେକ ଜଙ୍ଗଲରୁ ଝୁଣା, ମହୁ, ଲାଖ ପ୍ରଭୃତି ସଂଗ୍ରହ କରୁଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ ସହଯୋଗରେ ଅନୁଗୁଳ ଜିଲ୍ଲାର ୯ ଶହ ଗାଁରେ ଗଠିତ ହୋଇଛି ବନ ସୁରକ୍ଷା ସମିତି। ଲଘୁ ବନଜାତ ଦ୍ରବ୍ୟର ଅଧା ମୂଲ୍ୟ ବନ ସୁରକ୍ଷା ସମିତିକୁ ମିଳିବା ବ୍ୟବସ୍ଥା କରାଯାଇଛି। ତେଣୁ ଜଙ୍ଗଲର ସୁରକ୍ଷା ପାଇଁ ସମିତିଗୁଡ଼ିକ ଆକୃଷ୍ଟ ହେଉଛନ୍ତି। କୁଲାସିଙ୍ଗାସୁଦସାହିର ଅଧିବାସୀମାନେ ଗାଁ ବନସୁରକ୍ଷା ସମିତିର ସଦସ୍ୟ।

ସେମାନେ ପାଳିକରି ୩୦ ବର୍ଷ ହେଲା ଜଙ୍ଗଲ ଜଗି ଆସୁଛନ୍ତି। ଦୈନିକ ପ୍ରତି ଘରୁ ଜଣେ ବ୍ୟକ୍ତି ଠେଙ୍ଗାଧରି ଜଙ୍ଗଲ ଜଗିଯିବା ପାଇଁ ନିୟମ କରିଛନ୍ତି। ଏହି ଉପାୟରେ ଗ୍ରାମବାସୀ ସ୍ଥାନୀୟ ୭୫ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜଗି ଆସୁଛନ୍ତି। ତେଣୁ ଏହି ଜଙ୍ଗଲରେ କେବେ ନିଆଁ ଲାଗିନାହିଁ। ବନ୍ୟପ୍ରାଣୀ ଶିକାର ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଠାରେ ବନ୍ୟପ୍ରାଣୀ ଶିକାର ତ ଦୂରକଥା, ବନ୍ୟଜୀବଙ୍କ ମାଂସ ନଖାଇବା ପାଇଁ ମଧ୍ୟ ଗ୍ରାମବାସୀମାନେ ଶପଥ ନେଇଛନ୍ତି। ଗାଁ ବନସୁରକ୍ଷା ସମିତି ସଭାପତି କୁଶ ଅମାନ୍ତ କହିଛନ୍ତି, ଗାଁ କ୍ଷେତରେ ବାଡ଼ ନାହିଁ। ବାଦାମ, ଧାନ, ମକା ପ୍ରଭୃତି ବିଭିନ୍ନ ଫସଲ ଚାଷ କରାଯାଉଛି। ଅନେକ ସମୟରେ ହାତୀ, ବାର୍‌ହା, କୁଟୁରା, ଠେକୁଆ, ହରିଣ, ସମ୍ବର ପ୍ରଭୃତି ଆସି ଫସଲ ନଷ୍ଟ କରୁଛନ୍ତି। ଆମେ କିନ୍ତୁ ଏହି ପ୍ରାଣୀମାନଙ୍କୁ ଦେଖିଲେ ଜଙ୍ଗଲ ଭିତରକୁ ଘଉଡ଼ି ଦେଉଛୁ।