କରୋନା ବିରୋଧରେ କେମିତି କାମ କରୁଛି ରୁଷିଆ ଟିକା ? ‘ସ୍ପୁଟନିକ-ଭି’ର ପ୍ରମୋସନାଲ ଭିଜିଓ ଜାରି କଲା ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଏପଟେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନକରି ଆରମ୍ଭ ହେଲାଣି ଟିକା ଉତ୍ପାଦନ

855

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆ, ଏହା କିପରି କାମ କରୁଛି ତାର ଏକ ପ୍ରମୋସନାଲ ଭିଡିଓ ଜାରି କରିଛି । ୩୮ ସେକେଣ୍ଡର ଏହି ଭିଡିଓକୁ ଜାରି କରିଛି ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଯିଏ ଏହି ଟିକା ବିକାଶ କରିବା ପାଇଁ ଅନୁଦାନ ଯୋଗାଇ ଦେଇଥିଲା । ଏହି ଭିଡିଓରେ ଦେଖାଯାଉଛି, କିଭଳି ସାରାବିଶ୍ୱକୁ କରୋନା ଭୂତାଣୁ ଗ୍ରାସ କରି ରଖିଛି । ଏବଂ ରୁଷିଆ ନିର୍ମିତ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁଟନିକ ନାମରେ ବାହାର କରାଯାଇଥିବା ଏହି ଟିକା ସ୍ପୁଟନିକ-ଭି, ସାରା ବିଶ୍ୱରୁ କରୋନାକୁ ଶେଷ କରିଦେଉଛି । ଗତ ଅଗଷ୍ଟ ୧୧ ତାରିଖରେ ଏହି କରୋନା ଟିକାକୁ ପଞ୍ଜିକରଣ କରିବା ସହିତ ବିଶ୍ୱର ପ୍ରଥମ ଟିକା ବାହାରି କରିଥିବା ନେଇ ଦାବି କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।
ଗାମେଲ୍ୟା ବିଶ୍ୱବିଦ୍ୟାଳୟ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକା, କରୋନା ବିରୋଧରେ ବେଶ ପ୍ରଭାବୀ ଏବଂ ଯଥେଷ୍ଟ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରୁଛି ବୋଲି କହିଥିଲେ ରୁଷ ରାଷ୍ଟ୍ରପତି । ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରିବା ପୂର୍ବରୁ ଏହାର ପଞ୍ଜିକରଣ କରିଥିବାବେଳେ ଏବେ ଏହାର ଉତ୍ପାଦନ ମଧ୍ୟ ଆରମ୍ଭ କରିସାରିଛି ରୁଷିଆ । ସେପଟେ ରୁଷିଆ ଟାସା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ହଜାର ହଜାର ଲୋକଙ୍କ ଦେହରେ ଏହି ସ୍ପୁଟନିକ-ଭି ଟିକାର ମାନବ ପରୀକ୍ଷଣ କରାଯିବ । ମସ୍କୋ ଅଂଚଳରେ ଏହି ପରୀକ୍ଷଣ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି ।

ଏବେ ପ୍ରଶ୍ନ ଉଠୁଛି- ଭାରତରେ ରୁଷିଆ ଟିକା ଉପଲବ୍ଧ ହେବ କି? ଏବଂ ଏଥିପାଇଁ କଣ ଉପାୟ ରହିଛି?
– ମିଳିଥିବା ସୂଚନା ଅନୁସାରେ ଭାରତକୁ ରୁଷିଆ ଟିକା ଆସିବା ନେଇ ଦୁଇଟି ବାଟ ରହିଛି
– ଭାରତରେ ଟିକାର ଶେଷ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ କହିପାରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍- ସିଡିଏସସିଓ
– ଭାରତ ବାହାରେ ପ୍ରସ୍ତୁତ ହେଉଥିବା ଯେକୌଣସି ଟିକାର ପ୍ରୟୋଗ ପୂର୍ବରୁ ଏହି ପ୍ରାବଧାନ ରହିଆସିଛି
– ଭୌଗଳିକ ଭିନ୍ନତା ଦୃଷ୍ଟିରୁ ଭାରତୀୟଙ୍କ ଦେହରେ ଏହି ଟିକା କିଭଳି କାମ କରିବ ତାର ପରୀକ୍ଷଣ ଜରୁରୀ
– ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ନିକଟରେ ଅନୁମତି ଦେଇଛି ସିଡିଏସସିଓ
– ତେବେ ଜରୁରିକାଳୀନ ପରିସ୍ଥିତିରେ ବିନା ଟ୍ରାଏଲରେ ମଧ୍ୟ ଟିକାକୁ ଅନୁମତି ଦେଇପାରିବ ସିଡିଏସସିଓ
– ନିକଟରେ ରେମଡିସିଭିର ଭଳି କରୋନା ଔଷଧର ପ୍ରୟୋଗ ପାଇଁ ଅନୁମତି ଦେଇଥିଲା ସିଡିଏସସିଓ
– କିନ୍ତୁ ରେମଡିସିଭିର କେବଳ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିବାବେଳେ ରୁଷିଆ ଟିକା ସମସ୍ତଙ୍କୁ ଦିଆଯିବ
– ବିନା ପରୀକ୍ଷଣରେ ଟିକାକୁ ଅନୁମତି ଦେଲେ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ରହୁଥିବାରୁ ଦ୍ୱିତୀୟ ବାଟଟି ଗ୍ରହଣ କରିନପାରେ ସିଡିଏସସିଓ
– ଭାରତ ଭଳି ଏକ ଜନସଂଖ୍ୟା ବହୁଳ ଦେଶରେ ଟିକାକରଣ ପାଇଁ ଏହାର ପର୍ଯ୍ୟାପ୍ତ ଉତ୍ପାଦନ ମଧ୍ୟ ଜରୁରୀ
– ଅଧିକାଂଶ ଟିକାର ଭାରତରେ କେବଳ ୫୦ ପ୍ରତିଶତରୁ ଅଧିକ ଉତ୍ପାଦନ ହେଉଥିବାବେଳେ ସେରମ ଇନଷ୍ଟିଚ୍ୟୁଟର ସିଂହ ଭାଗ ରହିଛି
– ଏବଂ ରୁଷିଆ ଟିକାର ଭାରତରେ ଉତ୍ପାଦନ ପାଇଁ ବର୍ତ୍ତମାନ ଯାଏଁ କୌଣସି କମ୍ପାନି ଚୁକ୍ତି କରିନଥିବା ଜଣାପଡିଛି