କୃଷକ ସାଜିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ: ପଲାନୀସ୍ୱାମୀଙ୍କ ଫଟୋ ଟ୍ୱିଟ୍ କରି ପ୍ରଶଂସା କଲେ ଉପରାଷ୍ଟ୍ରପତି

140

କନକ ବ୍ୟୁରୋ : ଚାଷ ଜମିରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ । କୃଷକ ସାଜିଲେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗତକାଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଏକ ଫଟୋ ଟ୍ୱିଟ୍ କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳୁଛି ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ହାତରେ ଦା ଧରି ଖେତରେ ଛିଡ଼ା ହୋଇଛନ୍ତି । ତେବେ ଫଟୋ ଟ୍ୱିଟ୍ କରିବା ସହ ଏବେ ବଡ଼ ପଦପଦବୀରେ ଥିଲେ ସୁଦ୍ଧା ମୂଳକୁ ଭୁଲିନଥିବାରୁ ପଲାନିସ୍ୱାମୀଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ।

ଉପରାଷ୍ଟ୍ରପତି ଲେଖିଛନ୍ତି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଜଣେ କିଷାନ ଭାବେ ଚାଷଜମିରେ କାମ କରୁଛନ୍ତି । ସିଏ ନିଜର ପରଂପରାକୁ ଭୁଲି ନାହାନ୍ତି । ଏହା ଦେଖି ଅତ୍ୟନ୍ତ ଖୁସି ଅନୁଭବ ହେଉଛି । ତେବେ ଏହି ଫଟୋ ପ୍ରତୀକାତ୍ମକ ହୋଇଥିଲେ ସୁଦ୍ଧା ଲୋକେ ପ୍ରେରଣା ଲାଭ କରିବେ । କୃଷିକୁ ଲାଭଦାୟକ କରାଯିବା ଦିଗରେ କାମ ହେବା ଦରକାର ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ଉପରାଷ୍ଟ୍ରପତିଙ୍କ ଏହି ଟ୍ୱିଟର ଉତ୍ତର ଦେଇଛନ୍ତି ପଲାନୀସ୍ୱାମୀ । ସେ ଲେଖିଛନ୍ତି, ମୁଁ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଶବ୍ଦ ପାଇଁ ଧନ୍ୟବାଦ ଜଣାଉଛି । କୃଷିର ବିକାଶ ଓ ଦଳିତଙ୍କ ଉତଥାନ ପାଇଁ ଏବଂ ଅଧିକ ଧ୍ୟାନ କେନ୍ଦ୍ରୀତ ପାଇଁ ପ୍ରତିଶ୍ରୁତି ଦେଉଛି ।