କାଳ ହେଲା କୁହୁଡ଼ି : ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ, ରାୟପୁରରେ ଫେରିଗଲେ ଭେଙ୍କେୟା

1,047

କନକ ବ୍ୟୁରୋ : କୁହୁଡି ହେଲା କାଳ । ବାତିଲ ହୋଇଗଲା ଉପରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ । ଖରାପ ପାଗ ପାଇଁ ଛତିଶଗଡ ରାୟପୁରରୁ ଫେରିଗଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ସକାଳେ ସାଢେ ୯ଟା ସମୟରେ ବଲାଙ୍ଗିରରେ ଥିଲା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ । ହେଲେ ରାୟପୁରରେ ଆଜି କୁହୁଡିଆ ପାଗରେ ସୁଧାର ଆସିନଥିଲା । ବିମାନ ଉଡାଣ ପାଇଁ ଉଦ୍ୟମ କରିବା ପରେ ମଧ୍ୟ ଆଗକୁ ବଢିପାରିନଥିଲା । ଫଳରେ ଉପରାଷ୍ଟ୍ରପତିଙ୍କ ବିମାନ ଖରାପ ପାଗରେ ଉଡାଣ ନଭରି ରାୟପୁର ବିମାନବନ୍ଦରରୁ ନୂଆଦିଲ୍ଲୀ ଫେରି ଯାଇଛି ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ବଲାଙ୍ଗିର ଅଭିମୁଖେ ଆସି ବରକାନୀରେ ଏଲପିଜି ବଟଲିଂ ପ୍ଲାଂଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ପଶ୍ଚିମ ଓଡିଶାରେ ବଢୁଥିବା ଏଲପିଜି ଚାହିଦାକୁ ନଜରରେ ରଖି ବରକାନୀରେ ଏଲପିଜି ବଟଲିଂ ପ୍ଲାଂଟ ୧୪ଟି ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବ । ୨୦୧୮ ମସିହାରେ ୧୦୩ କୋଟିର ବଜେଟରେ ଏହି ପ୍ଲାଂଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ପ୍ରକଳ୍ପର ଅବଧି ୨୪ ମାସ ଥିଲେ ମଧ୍ୟ ଏହାକୁ ୧୯ ମାସ ମଧ୍ୟରେ ଶେଷ କରାଯାଇଛି ।

ବରକାନୀ ଏଲପିଜି ପ୍ଲାଂଟ ଲୋକାର୍ପଣ ସହିତ ପଶ୍ଚିମ ଓଡିଶାର ସର୍ବ ପୁରାତନ କଲେଜ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲୀ ଉଦଘାଟନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ପରେ ରାଜ୍ୟପାଳ ବାରକାନୀ ଏଲପିଜି ବଟଲିଂ ପ୍ଲାଂଟକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।