ପରଲୋକରେ ସରୋଜ ଖାନ୍ । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ହୃଦଘାତରେ ପରଲୋକ । ୨ ହଜାରରୁ ଅଧିକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହ ଜିତିଥିଲେ ୩ଟି ଜାତୀୟ ପୁରସ୍କାର

1,080

କନକ ବ୍ୟୁରୋ : ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ପରଲୋକ । ଅନେକ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଘଟିଥିଲା । ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଘରୋଇ ହସପିଟାଲରେ ସରୋଜ ଖାନ ଶେଷ ନିଶ୍ୱାସ ନେଇଛନ୍ତି । ସରୋଜ ଖାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ୨୦ ଜୁନରେ ଗୁରୁନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର କୋଭିଡ଼୍ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା । ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯାଇଥାଆନ୍ତା । କିନ୍ତୁ ଅଚାନକ୍ ବିଳମ୍ବିତ ରାତ୍ରିରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ୪ ଦଶକ କ୍ୟାରିଅରରେ ସରୋଜ ଖାନ ୨ ହଜାରରୁ ଅଧିକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

କୋରିଓଗ୍ରାଫି ଲାଗି ତାଙ୍କୁ ୩ଥର ଜାତୀୟ ପୁରସ୍କାର ମିଳିଥିଲା । ସଂଜୟ ଲୀଳା ଭଂସାଲିଙ୍କ ଫିଲ୍ମ ଦେବଦାସର ଗୀତ ଡୋଲା ରେ ଡୋଲା, ତେଜାବର ଏକ ଦୋ ତିନ ଗୀତ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା । ତେବେ ସରୋଜ ଖାନଙ୍କ ଦେହାନ୍ତ ପରେ ତାଙ୍କୁ ଅନ୍ତିମ ସଂସ୍କାର ମୁମ୍ବାଇ ସ୍ଥିତ ମଲାଡ଼ର ମାଲବାଣୀରେ କରାଯିବ ବୋଲି ସୂଚନା ମିଳିଛି ।