ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା କୋଳରେ ଜୀବନ ହାରିଲା କୁନି ପୁଅ

10,783

କନକ ବ୍ୟୁରୋ : ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି କୁନି ପୁଅର ଜୀବନ ଚାଲିଗଲା । ଏହି ହୃଦୟବିଦାରକ ଫଟୋ ଦେଖିଲେ ଆପଣ ବି କାନ୍ଦି ପକାଇବେ । ଜଣେ ବାପା ନିଜର ଏକ ବର୍ଷର ପୁଅର ମୃତ ଶରୀରକୁ ଜାବୁଡ଼ି ଅସହାୟତାର କାନ୍ଦ କାନ୍ଦୁଛି । ଅନ୍ୟପଟେ ଲଜ୍ଜ୍ୟାର ଓଢ଼ଣୀ ଟାଣି ପାଖରେ ବସି ଛାତି ବାଡ଼େଇ କାନ୍ଦୁଛି ମୃତ ଶିଶୁର ମା’ । ୟୁପି କନୌଜର ସରକାରୀ ହସ୍ପିଟାଲ ଭିତରର ଏହି ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି । ଡାକ୍ତର ବାବୁ ପୁଅକୁ ଛୁଇଁଲେନି, ଆଉ ଚିକିତ୍ସା ଅଭାବରୁ କୁନି ଶିଶୁର ଜୀବନ ଚାଲିଗଲା । ଠିକ ସମୟରେ ଚିକିତ୍ସା ହୋଇଥିଲେ ମୋ ପୁଅ ବଞ୍ଚିଯାଇଥାନ୍ତା କହି ମୃତକଙ୍କ ବାପା କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ।

ଜୀବନ ନେଇଗଲା କରୋନା ସଂକ୍ରମଣ ଭୟ । ମା’ବାପା ଆଗରେ ଯନ୍ତ୍ରଣାରେ ଛଟପଟ୍ ହୋଇ ଜୀବନ ହରାଇଲା କୁନି ପୁଅ । ଜ୍ୱରରେ ପୀଡ଼ିତ ପୁଅକୁ ଭଲ କରିବା ପାଇଁ ଅନେକ ଆଶା ନେଇ ମେଡ଼ିକାଲ ଦୌଡ଼ି ଯାଇଥିଲେ ବାପାମା’ । ଆଉ ଡାକ୍ତରଖାନାରେ ପହଞ୍ଚିବା ପରଠାରୁ ଆରମ୍ଭ ହୋଇଯାଇଥିବା ପୁଅକୁ ବଞ୍ଚାଇବାକୁ ସଂଘର୍ଷ । ଏକ ବର୍ଷର ପୁଅକୁ ବଞ୍ଚାଇବାକୁ ଯାଇ କେତେବେଳେ ମୃତ ଶିଶୁର ବାପା ଡାକ୍ତରଙ୍କ ଗୋଡ଼ ତଳେ ପଡ଼ିଯାଉଥିଲେ ତ କେତେବେଳେ ନର୍ସ ଦିଦିଙ୍କୁ ନେହୁରା ହେଉଥିଲା ମମତାମୟୀ ମା’ । ମୋ ପୁଅକୁ ବଞ୍ଚାଅ ବଞ୍ଚାଅ କହି ତଣ୍ଟି ଶୁଖିଯାଉଥିଲା ସିନା କେହି ଶୁଣୁନଥିଲେ ।

ହେଲେ ସେମାନେ କ’ଣ ଜାଣିଥିଲେ ଡାକ୍ତରଖାନରେ ପଞ୍ଝା ମେଲାଇ ବସିଛି ନିଷ୍ଠୁର ମୃତ୍ୟୁ । କରୋନା କଟକଣା ଭିତରେ ଲେଖା ହେଲା ଏକ ଲୁହଭରା ଅଧ୍ୟାୟ । ଏକ ଅନିଶ୍ଚିତ ମୃତ୍ୟୁର ଆଶଙ୍କା ଡାକ୍ତରଙ୍କ ମାନବିକତାକୁ ବି ମାରିଦେଲା । କରୋନା ସଙ୍କଟ ସମୟରେ କୁନି ପୁଅକୁ ଛୁଇଁବାକୁ ମନାକରିଦେଲେ ଦ୍ୱିତୀୟ ଭଗବାନଙ୍କ ଖୋଳପା ପିନ୍ଧିଥିବା ଡାକ୍ତର । ଚିକିତ୍ସା କରିବା ଦୂରର କଥା କୁନି ପୁଅକୁ କେହି ଛୁଇଁଲେନି । ଜ୍ୱର ହେଉଥିବା କଥା ଶୁଣି ଗୁରୁତର ଶିଶୁକୁ ଥରେ ବି ନଦେଖି କାନପୁର ରେଫର୍ କରିଦେଇଥିଲେ ।

ହେଲେ ତାତିରେ ଖଇ ଫୁଟୁଥିବା କୁନି ପୁଅର ନିଶ୍ଚଳ ଶରୀରକୁ ଅନ୍ୟ ହସ୍ପିଟାଲ ନେବା ଅବସ୍ଥାରେ ନଥିଲେ ବାପାମା’ । ଡାକ୍ତରଙ୍କ ଗୋଡ଼ହାତ ଧରି ଅନେକ ହାରିଗୁହାରୀ ପରେ ଏମରଜେନ୍ସି ୱାର୍ଡ଼ରେ ଶିଶୁକୁ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । ଅନିଶ୍ଚିତ ମୃତ୍ୟୁର ଭୟ କୁନି ପୁଅକୁ ମୃତ୍ୟୁ ମୁଖକୁ ଠେଲିଦେଲା । ଆଉ ସବୁଦିନ ପାଇଁ ଅଫେରା ଦୁନିଆକୁ ଚାଲିଯାଇଥିଲା କୁନି ପୁଅ । ହେଲେ କୁନି ପୁଅର ମୃତ୍ୟୁ ପରେ ଅସହାୟ ବାପ ଜାଣି ପାରୁନି ଦୋଷ କାହାକୁ ଦେବ । ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନା ସରକାରଙ୍କୁ । ପୁଅକୁ ହରାଇ ଆଜି ନ୍ୟାୟ ମାଗୁଛନ୍ତି ଅସହାୟ ମା’ବାପା । କରୋନା ସଂକ୍ରମଣ ଭିତରେ ଏପରି ଘଟଣା ଦେଶର ସ୍ୱାସ୍ଥ୍ୟବ୍ୟବସ୍ଥା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।