ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ : ୧୨୦୦ରୁ ଅଧିକ ନାମରେ ମାମଲା ରୁଜୁ

273

କନକ ବ୍ୟୁରୋ : ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଯୋଗୀ ସରକାରଙ୍କ ଆକ୍ସନ୍ । ସିଏଏ ଓ ଏନଆରସିକୁ ନେଇ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ଯୋଗୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଖାପାଖି ୧୨୦୦ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ଧାରା ୧୪୪ ଉଲଙ୍ଘନ କରିବାର ମାମଲା ରୁଜୁ କରାଯାଇଛି ।

ଆଲିଗଡରେ ୬୦ମହିଳା, ପ୍ରୟାଗରାଜରେ ୩୦୦ମହିଳା, ଇଟାୱାରେ ୨୦୦ମହିଳା ଓ ୭୦୦ପୁରୁଷଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ସବୁଠାରୁ ବଡ କଥା ହେଲା , ମାମଲା ରୁଜୁ କରାଯିବା ପରେ ମଧ୍ୟ ଲକ୍ଷ୍ନୌର ଘଣ୍ଟାଘର ଠାରୁ ଆରମ୍ଭ କରି ପ୍ରୟାଗରାଜର ମଂସୁର ଅଲୀ ପାର୍କରେ ଏବେ ବି ବିକ୍ଷୋଭ ଜାରି ରହିଛି । ଅନ୍ୟପଟେ ରାୟବରେଲିର ଟାଉନ୍ ହଲରେ ମଧ୍ୟ ମୁସଲମାନ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଲକ୍ଷ୍ନୌରେ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀମାନେ ଏକ ସପ୍ତାହ ହେଲା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ୟୁପିର କାନପୁର, ଏଟା, ଇଟାୱା , ଆଲିଗଡରେ ସିଏଏକୁ ନେଇ ବିକ୍ଷୋଭ ଜାରି ରହିଛି । ବିକ୍ଷୋଭକାରୀଙ୍କ କହିବା ଅନୁସାରେ , ମୋଦୀ ସରକାର ଦେଶରୁ ସିଏଏ ନହଟାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ।