ଆମେରିକାରେ ପୋଷା ବିଲେଇକୁ କରୋନା : ନ୍ୟୁୟର୍କରେ ଦୁଇ ବିଲେଇ ଶରୀରରେ ଭୂତାଣୁ ଚିହ୍ନଟ, ଘରର ସଦସ୍ୟ କିମ୍ବା ପଡୋଶୀ ଦେହରୁ ବ୍ୟାପିଥିବା ସନ୍ଦେହ

668

କନକ ବ୍ୟୁରୋ : ପୋଷା ବିଲେଇକୁ କରୋନା । ଆମେରିକାରେ ୨ଟି ପୋଷା ବିଲେଇ କରୋନା ସଂକ୍ରମଣ ଶିକାର ହୋଇଛନ୍ତି । ପ୍ରଥମଥର ପାଇଁ ଆମେରିକାରେ ପଶୁଙ୍କ ଦେହରେ ଏହି ସଂକ୍ରମଣ ହୋଇଛି ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି । ଶ୍ୱାସ ରୋଗରେ ଆକ୍ରାନ୍ତ ଥିବା ଏହି ୨ଟି ବିଲେଇ ସେମାନଙ୍କ ମାଲିକ କିମ୍ବା ପଡ଼ୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଆମେରିକାର କୃଷି ବିଭାଗ ଓ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏହି ସୂଚନା ଦେଇଛି ।

ତେବେ ପଶୁ ଦେହରେ କରୋନା ଭୂତାଣୁ ଠାବ ଏହା ପ୍ରଥମ ଘଟଣା ନୁହେଁ ।  ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ କରୋନା ଭୂତାଣୁ  ମିଳିଥିଲା । ଆମେରିକାର କୃଷି ବିଭାଗର ଜାତୀୟ ପଶୁସେବା ପରୀକ୍ଷାଗାରର ତରଫରୁ ଏହା ସ୍ପଷ୍ଟ କରାଯାଇଥିଲା । ଚାରି ବର୍ଷର ବାଘୁଣୀ ‘ମାଲାୟନ ଟାଇଗର’ ଚିଡିଆଖାନାର ଜଣେ କର୍ମଚାରୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କଥା କୁହାଯାଇଥିଲା ।

ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ୱାଇଲ୍ଡ ଲାଇଫ କନଜରଭେସନ ସୋସାଇଟି ମୁତାବକ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା କେଉଁ ବ୍ୟକ୍ତିଙ୍କଠାରୁ ଏହି ଭୂତାଣୁ ୪ବର୍ଷୀୟ ବାଘୁଣୀ ନାଦିଆ ଦେହକୁ ଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା । ଆମେରିକାରରେ କରୋନା ଭାଇରସ ସ୍ଥିତି ଅନିୟନ୍ତ୍ରିତ ହେବା ପରେ ବୋନକ୍ସ ଚିଡିଆଖାନାକୁ ଗତ ମାର୍ଚ୍ଚ ୧୬ ପରଠାରୁ ବନ୍ଦ ରଖାଯାଇଛି । ଆମେରିକୀୟ ଅଧିକାରୀ ଏନେଇ କହିଛନ୍ତି ଏପର୍ଯ୍ୟନ୍ତ ଜଣାପଡ଼ିଛି ମଣିଷ ଠାରୁ ପଶୁକୁ ଏହି ଭୁତାଣୁ ସଂକ୍ରମିତ ହେଉଛି କିନ୍ତୁ ପୋଷା ଜନ୍ତୁଙ୍କ ଠାରୁ ମଣିଷକୁ ଭୂତାଣୁ ସଂକ୍ରମଣ ହେବାର କୌଣସି ତଥ୍ୟ ନାହିଁ  ।