ଭୂତକୋଠି ପାଲଟିଛି ବାଙ୍କୀ ଡମପଡା ଡାକବଙ୍ଗଳା : ନିର୍ମାଣର ୨ ବର୍ଷ ପରେ ବି ରାଜସ୍ୱ ବିଭାଗକୁ ହୋଇନି ହସ୍ତାନ୍ତର, ରକ୍ଷଣାବେକ୍ଷଣା ଅଭାବରୁ ଫାଟି ଗଲାଣି କାନ୍ଥ

132

କନକ ବ୍ୟୁରୋ : ସରକାରୀ ଉଦାସୀନତା ଯୋଗୁଁ ଲକ୍ଷାଧକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବାଙ୍କୀ ଡମପଡା ରାଜସ୍ୱ ବିଭାଗର ଡାକବଙ୍ଗଳା ପାଲଟିଛି ଭୂତକୋଠୀ । ଡାକବଙ୍ଗଳାଟି ବ୍ୟବହାର କରିବା ପୂର୍ବରୁ ଅବ୍ୟବହୃତ ଅବସ୍ଥାରେ ପଡିରହିଛି । କେବଳ ଏତିକି ନୁହେଁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦାନା ବନ୍ଧୁଛି ।

ବାଙ୍କୀ ଡମପଡା ତହସିଲ କାର୍ଯ୍ୟାଳୟ ନିକଟରେ ଅଛି ଦୁଇ ମହଲା ବିଶିଷ୍ଟ ଏକ ଭବ୍ୟ ବଙ୍ଗଳା । ଡମପଡା ନିକଟ ଅଂଶୁପା ହ୍ରଦକୁ ବୁଲି ଆସୁଥିବା ସରକାରୀ କର୍ମଚାରୀ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ଡାକବଙ୍ଗଳା ନିର୍ମାଣ କରାଯାଇଛି । ୮୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୨୦୧୭ ମସିହାରୁ ଏହା ନିର୍ମାଣ ହୋଇସାରିଛି । ହେଲେ ଆଜି ଯାଏଁ ଡମପଡା ରାଜସ୍ୱ ବିଭାଗକୁ ହସ୍ତାନ୍ତର ହୋଇ ନାହିଁ । ଫଳରେ ବଙ୍ଗଳାଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି ।

ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ବଙ୍ଗଳା ଏବେ ଜରାଜିର୍ଣ୍ଣ । ୨ ବର୍ଷ ତଳୁ ନିର୍ମାଣ ହୋଇଥିବା ଡାକବଙ୍ଗଳାଟିକୁ ଏବେ ଦେଖିଲେ ଭୂତକୋଠି ଭଳି ଲାଗୁଛି । କାନ୍ଥରେ ଉଇହୁଙ୍କା ହେବା ସହ ବଙ୍ଗଳାଟିର ଚାରିପଟେ ଅନାବନା ଗଛ ଭର୍ତି ହୋଇଯାଇଛି ।