କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ଏଠାରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିଲା ବେଳେ କାଠମାଫିଆମାନେ ଦିନଦ୍ବିପ୍ରହରେ ଜଙ୍ଗଲରେ ପଶି ଅବାଧରେ କାଠ କାଟୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବା ଜଙ୍ଗଲ ଏବେ ଧୀରେ ଧୀରେ ଲୀନ ହେବାରେ ଲାଗିଛି । ଆଗଭଳି ଜଙ୍ଗଲରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ବୃକ୍ଷଲତା ଆଉ ଦେଖିବାକୁ ମିଳୁନି । ଚାଷବାସ ଏବଂ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ଏବେ ନିଜର ବେଉସା ହରେଇ ଗାଁ ଗଣ୍ତା ଛାଡୁଛନ୍ତି ।
ପଶୁପକ୍ଷୀମାନଙ୍କୁ ଶିକାର କରିବାକୁ ଶିକାରୀମାନେ ପ୍ରତି ଜଙ୍ଗଲରେ ଡେରା ପକାଇଛନ୍ତି । କିନ୍ତୁ ବନ କର୍ମଚାରୀମାନେ ଶିକାରୀ କିମ୍ବା କାଠମାଫିଆଙ୍କ ଟିକେ ବି ସୁରାକ୍ ପାଉନଥିବା ମୁଣ୍ତ ବିନ୍ଧାର କାରଣ ହୋଇଛି । ବିଗତ ଦିନରେ ଦଶପଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଯେପରି ହଇଚଇ ସୃଷ୍ଟି ହୋଇଥିଲା, ତା’ର ପୁନରାବୃତି ନହୁଏ ସେଥିପ୍ରତି ବନ ବିଭାଗ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି । ଏବେ ନୟାଗଡ଼ର ସଂରକ୍ଷିତ ଜଙ୍ଗଲରେ ୨୬ ହାତୀ ଚଳପ୍ରଚଳ କରୁଥିବା ସରକାରୀ ଭାବେ ଜଣାପଡ଼ିଛି । ବେସରକାରୀ ଭାବେ ୩୨ଟି ହାତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସୂଚନା ଥାଉକି, ନୟାଗଡ଼ର ବିଶାଳ ଜଙ୍ଗଲ ଉପରେ ଜଙ୍ଗଲମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଦୈନିକ ଜଙ୍ଗଲରୁ କାଠ କାଟି ନେଉଥିଲା ବେଳେ ପଶୁ ପକ୍ଷୀ ଶିକାର ବ୍ୟାପକ ମାତ୍ରାରେ ବଢ଼ିଯାଇଛି । ଜଙ୍ଗଲ କ୍ଷୟ ହେବା ଯୋଗୁ ପଶୁପକ୍ଷୀ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିବା ଦ୍ବାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାରୁ ବଂଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଜଙ୍ଗଲଜନ୍ତୁ ଶିକାର କରିବା ଏବଂ ବେଆଇନ୍ କାଠ କାଟିବା ଉପରେ ବନ ବିଭାଗ ସେମିତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇନାହିଁ ।
କାଁ ଭାଁ କିଛି ଛୋଟ ମୋଟ କାଠମାଫିଆ ଏବଂ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦେଇଛି । ଏବେ ନୟାଗଡ଼ ବନଖଣ୍ତରେ ଥିବା ପାଲଭା, ରଗଡିମଡ଼ା, ଗୋଛା, ପୋଖରୀଗୋଛା ଆଦି ଜଙ୍ଗଲରେ ୨୬ ଗୋଟି ବଣୁଆ ହାତୀପଲ ଘୂରି ବୁଲୁଛନ୍ତି । ହାତୀପଲ ଜଙ୍ଗଲରେ ରହୁଥିବାରୁ ଭୟରେ ଶିକାରୀମାନେ ଜଙ୍ଗଲ ଭିତରକୁ ଯାଇ ପାରୁନାହାନ୍ତି। କାଳେ ହାତୀ ହାବୁଡ଼ରେ ପଡ଼ିବେ, ସେହି ଭୟ ଶିକାରୀଙ୍କୁ ଘାରିଛି । ଆଉ କେତେକ ସ୍ଥାନରେ ରାତିଅଧିଆ ଶିକାରୀମାନେ ଜଙ୍ଗଲରେ ପଶି ଅବାଧରେ ଜନ୍ତୁ ଶିକାର କରୁଛନ୍ତି । ଜନ୍ତୁ ଶିକାର କରିବାକୁ ଯାଇ ହାତୀମାନଙ୍କୁ ଶିକାର କରିବାକୁ ଶିକାରୀମାନେ ଯୋଜନା କରୁଥିବା ଶୁଣିବାକୁ ମିଳୁଛି ।