ଉନ୍ନାଉ ନାବାଳିକା ବଳାତ୍କାର ଘଟଣା : ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ସାତଦିନିଆ ରିମାଣ୍ଡରେ ନେଲା ସିବିଆଇ

19

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଉନ୍ନାଉ ନାବାଳିକା ବଳାତ୍କାର ଘଟଣାରେ ଗିରଫ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ସାତଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ତେବେ ସିବିଆଇ ଆଶଙ୍କା ପ୍ରକାଶ କରିଛି ଯେ, ଗିରଫ ବିଧାୟକ ଶାସକ ଦଳର ହୋଇଥିବାରୁ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଇପାରେ । ସେପଟେ ମାମଲାରେ ସିବିଆଇ ଶଶୀ ସିଂ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି । ଏହି ମହିଳା ହିଁ ନାବାଳିକାଙ୍କୁ ବିଧାୟକଙ୍କୁ ପାଖକୁ ନେଇଥିଲେ । ପୀଡିତାଙ୍କ ମା ଅଭିଯୋଗ କରିଥିଲେ, ଶଶୀ ହିଁ ତାଙ୍କ ଝିଅଙ୍କୁ ପ୍ରଲୋଭନ ଦେଖାଇ ବିଧାୟକଙ୍କ ପାଖକୁ ନେଇଯାଇଥିଲେ ।

ଆଉ ବିଧାୟକ ନାବାଳିକାକୁ ଦୁଷ୍କର୍ମ କରୁଥିବାବେଳେ ଶଶୀ ସିଂ ଗାର୍ଡ ହୋଇ ଘର ବାହାରେ ଥିଲେ । ମିଳିଥିବା ଖବର ଅନୁସାରେ, ସିବିଆଇ ସେଙ୍ଗର-ଶଶୀଙ୍କୁ ମୁହାଁମୁହିଁ ଜେରା କରିପାରେ । ଜେରା ବେଳେ ଶଶୀ ଅସଲ ରହସ୍ୟ ଖୋଲିପାରନ୍ତି । ପ୍ରାୟ ୧୭ ଘଂଟା ଧରି ପଚରା ଉଚରା ପରେ କୁଲଦୀପ ସିଂ ସେଙ୍ଗରକୁ ଶୁକ୍ରବାରଦିନ ଗିରଫ କରିଥିଲା ସିବିଆଇ । ସେଙ୍ଗରଙ୍କ ବିରୋଧରେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ମାମଲାର ତଦନ୍ତ ସିବିଆଇ କରୁଛି । ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।