କନକ ବ୍ୟୁରୋ : ପୁଣିଥରେ ଭୁବନେଶ୍ୱରକୁ ସଜାଡିବାର ପ୍ରୟାସ । ମେ ମାସ ତିନି ତାରିଖରେ ଯେଉଁ ପ୍ରଳୟଙ୍କରୀ ଫୋନି ମାଡି ଆସିଲା ସେଥିରେ ଶ୍ରୀହୀନ ହୋଇଗଲା ରାଜଧାନୀ । ବାତ୍ୟାର ସେହି କ୍ଷତକୁ ଭରଣା କରିବାକୁ ପୁଣିଥରେ ଲାଗିପଡିଛି ଭୁବନେଶ୍ୱର । ଆଉ କେତେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଏହାର ମଙ୍ଗ ଧରିଛନ୍ତି । ସେହିଭଳି ଏକ ଅନୁଷ୍ଠାନ ହେଉଛି ଉନ୍ମୁକ୍ତ ଫାଉଣ୍ଡେସନ । ରାଜଧାନୀରେ ବାତ୍ୟା ପ୍ରଭାବରେ ଶୋଇପଡିଥିବା ଗଛମାନଙ୍କୁ ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ପୁନରୁଦ୍ଧାର କରୁଛି ଅନୁଷ୍ଠାନର ଗ୍ରୀନ ଆର୍ମି ଚାପଟର ।
ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରେ ହଜାର ହଜାର ସଂଖ୍ୟାରେ ଭାଙ୍ଗି ଯାଇଥିଲା ବହୁ ପୁରୁଣା ଗଛ, ତାଠାରୁ ଅଧିକ ଛୋଟ ଗଛଗୁଡିକ ଶୋଇ ପଡିଥିଲା ଫୋନିର ପ୍ରଭାବରେ । ସେହି ସବୁ ଗଛକୁ ପୁନରୁଦ୍ଧାର କରୁଛନ୍ତି ଉନୁ୍ମକ୍ତ ଫାଉଣ୍ଡେସନ । ଦୁଇଦିନ ମଧ୍ୟରେ ଶହେରୁ ଅଧିକ ଗଛଗୁଡିକୁ ଠିଆ କରି ଏହାର ପୁନରୁଦ୍ଧାର କରୁଛନ୍ତି ଫାଉଣ୍ଡେସନର ସଦସ୍ୟ । ଆଗକୁ ଏୟାର ପୋର୍ଟର ସମସ୍ତ ଗଛ ଓ ଓୟୁଏଟି ପର୍ଯ୍ୟନ୍ତ ସମସ୍ତ ଗଛଗୁଡିକୁ ପୁନରୁଦ୍ଧାର କରିବାର ଦାୟିତ୍ୱ ନେଇଛି ଫାଉଣ୍ଡେସନ ।
ରାଜଧାନୀକୁ ସଜାଡିବାରେ ଲାଗିପଡିଥିବା ଉନ୍ମୁକ୍ତ ଫାଉଣ୍ଡେସନ ସୋସିଆଲ ମିଡିଆରେ ଲୋକମାନଙ୍କୁ ତାଙ୍କସହ ଯୋଡି ହେବା ପାଇଁ ଅପିଲ କରିଛନ୍ତି ଆଉ ପୁଣିଥରେ ଭୁବନେଶ୍ୱରକୁ ଗଢି ତୋଳିବାକୁ ଆରମ୍ଭ ହୋଇଛି ପ୍ରୟାସ ।