ଅନ୍‌ଲାଇନ୍‌ ଶିକ୍ଷାର ଅଜଣା ଦିଗ । ୨୭% ବିଦ୍ୟାର୍ଥୀଙ୍କ ଫୋନ୍‌ ନାହିଁ । ୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା

90

କନକ ବ୍ୟୁରୋ : ମହାମାରୀ କୋଭିଡ୍‌ ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଏଥିଯୋଗୁଁ ଚଳିତବର୍ଷ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଶିକ୍ଷାଗ୍ରହଣ ସୁଯୋଗ ହରାଇବାକୁ ପଡ଼ିଛି। ତେବେ କେତେକାଂଶରେ ଏହାର ଭରଣା ପାଇଁ ସରକାର ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଉପଲବ୍‌ଧ କରାଇଥିଲେ, ଯେଉଁଥିରେ ଶିକ୍ଷାର୍ଥୀମାନେ ଘରେ ବସି ସ୍ମାର୍ଟଫୋନ୍‌ ମାଧ୍ୟମରେ ବିଭିନ୍ନ ବିଷୟରେ ଶିକ୍ଷକମାନଙ୍କ ଦ୍ବାରା ପ୍ରଦତ୍ତ ଶିକ୍ଷାକୁ ଅନୁସରଣ କରିପାରିବାର ସୁଯୋଗ ରହିଛି। କିନ୍ତୁ ଏହାର ବାସ୍ତବ ଦିଗ ଯେ କେତେ ଅନ୍ଧକାରାଚ୍ଛନ୍ନ ତାହା ଏନ୍‌ସିଇଆର୍‌ଟି ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି। ଏହି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଦ୍ବାରା ଉପକୃତ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅତି କମ୍‌ରେ ୨୭ ପ୍ରତିଶତଙ୍କର ସ୍ମାର୍ଟଫୋନ୍‌ କି ଲାପ୍‌ଟପ୍‌ ନାହିଁ।

ଫଳରେ ସେମାନେ ଏହି ବ୍ୟବସ୍ଥାରେ ସାମିଲ ହେବାରୁ ବଞ୍ଚିତ ରହିଛନ୍ତି। ସେହିପରି ୨୮ ପ୍ରତିଶତଙ୍କର ଘରୋଇ ବିଦ୍ୟୁତ୍‌ ସମସ୍ୟା ଲାଗି ରହିଛି, ଯାହା କି ସେମାନଙ୍କର ଧାର୍ଯ୍ୟ ସମୟରେ ଶିକ୍ଷା ପ୍ରକ୍ରିୟାରେ ନାନା ବ୍ୟାଘାତ ସୃଷ୍ଟି କରିଛି ବୋଲି ସର୍ବେକ୍ଷଣରେ ସାମିଲ ହୋଇଥିବା ୩୪,୦୦୦ ଜଣ ଅଂଶଗ୍ରହଣକାରୀଙ୍କ ମତାମତରୁ ଜଣାପଡ଼ିଛି। ସେମାନଙ୍କ ଭିତରେ ମୁଖ୍ୟତଃ ହିତାଧିକାରୀ ବିଦ୍ୟାର୍ଥୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବିଭିନ୍ନି ବିଦ୍ୟାଳୟର ପ୍ରଧାନଶିକ୍ଷକ/ଅଧ୍ୟକ୍ଷ ରହିଥିଲେ।

ସେହିପରି ମାତ୍ର ୩୬ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ପାଖରେ ଉପଲବ୍‌ଧ ଥିବା ପାଠ୍ୟପୁସ୍ତକଗୁଡ଼ିକ ବ୍ୟବହାର କରୁଥିଲେ। ତେବେ ଅନେକଙ୍କ ପାଖରେ ବିଦ୍ୟାଳୟ ପାଠ୍ୟପୁସ୍ତକ ନାହିଁ ବୋଲି ପାଖାପାଖି ଅର୍ଦ୍ଧେକ ପିଲା ମତ ରଖିଛନ୍ତି। ଅପରପକ୍ଷେ, ଶିକ୍ଷକ ଓ ଅଧ୍ୟକ୍ଷମାନେ ବେଶୀ ଲାପ୍‌ଟପ୍‌ ବ୍ୟବହାର କରିବାକୁ ପସନ୍ଦ କରିଥିଲେ ବୋଲି ଏହି ସର୍ବେକ୍ଷଣରୁ ଜଣାଯାଇଛି। ପାଠପଢ଼ାରେ ରେଡିଓ ଓ ଟେଲିଭିଜନ ସବୁଠୁ ସ୍ବଳ୍ପ ବ୍ୟବହୃତ ସରଞ୍ଜାମ ହୋଇ ରହିଛି। ଏହି ଦୁଇ ମାଧ୍ୟମରେ ଶିକ୍ଷକ ଓ ବିଦ୍ୟାର୍ଥୀ ମଧ୍ୟରେ ଭାବ ଆଦାନପ୍ରଦାନର ଅଭାବ ରହିବା ଯୋଗୁଁ ଏହାକୁ ବେଶୀ ପସନ୍ଦ କରିନଥିବା ଜଣାଯାଇଛି।

ଯଦିଓ ଏନ୍‌ସିଏଆର୍‌ଟି ଓ ଦୀକ୍ଷାର ୱେବ୍‌ପୋର୍ଟାଲ୍‌ରେ ସମସ୍ତ ପ୍ରକାର ପାଠ୍ୟପୁସ୍ତକର ଡିଜିଟାଲ୍‌ କପି ଉପଲବ୍‌ଧ, ତେବେ ପିଲାମାନେ ପାଠ୍ୟପୁସ୍ତକର ହାର୍ଡ କପି ପଢ଼ିବାରେ ଅଭ୍ୟସ୍ତ ଥିବାରୁ ସେମାନେ ଏହି ଇ-ବହିଗୁଡ଼ିକର ମଜା ନେଇପାରିନାହାନ୍ତି । ତେବେ ସେଗୁଡ଼ିକର ଇ-ସଂସ୍କରଣ ଏପରି ଉପଲବ୍‌ଧ ହେଉଥିବା ସମ୍ପର୍କରେ କୌଣସି ସୂଚନା ନଥିବା ସହ ଏହାର ବ୍ୟବହାର ଦିଗରେ ଆବଶ୍ୟକ ସଚେତନତା ସୃଷ୍ଟି ହୋଇନଥିବାରୁ ପିଲାମାନେ ସେଗୁଡ଼ିକ ଅନୁସରଣ କରିନାହାନ୍ତି।

ଅନ୍‌ଲାଇନ୍‌ ଶିକ୍ଷଣ ବ୍ୟବସ୍ଥାରେ ବିଶେଷ କରି ଗଣିତ ବିଷୟକୁ ଅନୁସରଣ କରିବା ହିଁ ସବୁଠୁ କଷ୍ଟକର ବୋଲି ଅଧିକାଂଶ ବିଦ୍ୟାର୍ଥୀ ମତ ଦେଇଛନ୍ତି। ଯେହେତୁ ଏଥିରେ ଅନେକଗୁଡ଼ିଏ ଧାରଣା ଜଡ଼ିତ ରହୁଛି, ତେଣୁ ତାହା କେବଳ ଶିକ୍ଷକ-ଛାତ୍ର ମଧ୍ୟରେ ଭାବ ଆଦାନପ୍ରଦାନରେ ହିଁ ସ୍ପଷ୍ଟ ହୋଇଥାଏ। ସୁତରାଁ ଏହି କାରଣରୁ ସୀମିତ ସମୟ ଭିତରେ ଏପରି ଏକତରଫା ଶିକ୍ଷାଦାନ ଯୋଗୁଁ ଗଣିତ ବିଷୟ ସେଭଳି ପ୍ରଭାବୀ ହୋଇପାରିନି ବୋଲି ଜଣାଯାଇଛି। ସେହିପରି ଗଣିତ ପଛକୁ ବିଜ୍ଞାନ ହିଁ ପରବର୍ତ୍ତୀ ଚିନ୍ତାର ବିଷୟ ହୋଇ ରହିଛି ଯେଉଁଥିରେ ଅନେକ ପରୀକ୍ଷା ନିରୀକ୍ଷା ରହିଛି ଯାହା କେବଳ ବିଜ୍ଞାନାଗାରରେ ହିଁ ସମ୍ଭବ।
ଅପରପକ୍ଷେ, ସାମାଜିକ ବିଜ୍ଞାନକୁ ଅନେକ ମଧ୍ୟ କଷ୍ଟକର ବିଷୟ ବୋଲି ବିଚାରିଛନ୍ତି। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ୧୭ ପ୍ରତିଶତ ବିଦ୍ୟାର୍ଥୀ ଭାଷାଜ୍ଞାନକୁ ହିଁ କଷ୍ଟକର ବିଷୟ ବୋଲି ଅନୁଭବ କରିଥିବା କହିଛନ୍ତି। ସେହିପରି ୧୦ ପ୍ରତିଶତ ବିଦ୍ୟାର୍ଥୀ କଳା ଶିକ୍ଷା (ଆର୍ଟ ଏଜୁକେସନ) ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଶାରୀରିକ ଶିକ୍ଷାକୁ ଗୁରୁତ୍ବ ଦେଇଛନ୍ତି।

Comments are closed.