ସମ୍ଭଲରେ ନିଆରା ବିବାହ : ତ୍ରିରଙ୍ଗାର ତିନି ରଙ୍ଗରେ ରଙ୍ଗେଇ ହେଲେ ବରବଧୂ, ଶାହାନାଇ ସଙ୍ଗେ ବାଜିଲା ଦେଶାତ୍ମବୋଧକ ଗୀତ

277

କନକ ବ୍ୟୁରୋ : ବର-ବଧୂ କିମ୍ବା ସେମାନଙ୍କ ପିତା-ମାତା ବିବାହ ଉତ୍ସବକୁ ନିଆରା କରିବା ଉଦ୍ଦ୍ୟଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ । ସେହିଭଳି ଆଉ ଏକ ନିଆରା ବିବାହ ନିକଟରେ ଉତ୍ତର ପ୍ରଦେଶର ସମ୍ଭଲରେ ଦେଖିବାକୁ ମିଳିଥିଲା । ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହକୁ ଏକ ଭିନ୍ନ ଶୈଳୀରେ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା କହିଛନ୍ତି ।

ଚନ୍ଦୌସିର ପରିବହନ ବିଭାଗରେ କାମ କରୁଥିବା ଅନିଲ ମିଶ୍ରଙ୍କ ପୁଅ ମୋହିତ ମିଶ୍ର ନିଜ ବିବାହରେ ତ୍ରିରଙ୍ଗାର ତିନି ରଙ୍ଗରେ ତିଆରି ପଗଡ଼ି ପିନ୍ଧିଥିବା ବେଳେ କନ୍ୟା ସୋନମ ପାଠକଙ୍କୁ ଏହି ତ୍ରିରଙ୍ଗା ରଙ୍ଗରେ ତିଆରି କରାଯାଇଥିବା ଏକ ମାଳା ପିନ୍ଧାଇଥିଲେ । କେବଳ ସେତିକି ନୁହେଁ ଅନିଲ ମିଶ୍ର ପୁଅ ବିବାହରେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଇନରେ ପରିଣତ କରିବାକୁ ଏକ ଫ୍ଲେକ୍ସ ତିଆରି କରି ବିବାହ ମଣ୍ଡପ ନିକଟରେ ଲଗାଇଥିବା ବି ଦେଖିବାକୁ ମିଳିଥିଲା ।

ଏମିତିକି ମଣ୍ଡପକୁ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯାଇଥିଲା। ଏପରିକି ମୋହିତ ମିଶ୍ରଙ୍କ ବିବାହ ସମୟରେ ଦେଶଭକ୍ତି ଗୀତ ଶୁଣିବାକୁ ମିଳିଥିଲା। ଏଥିସହିତ ଏହି ବିବାହରେ ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ସେଥିରେ ହିନ୍ଦୀରେ ଗୋଟିଏ ଲାଇନ୍‌ ଲେଖି ସିଏଏ ଓ ଏନ୍‌ଆରସିକୁ ସମର୍ଥନ ଜଣାଇ କିଛି ବାର୍ତ୍ତା ମଧ୍ୟ ଦିଆଯାଇଥିଲା।