କନକ ବ୍ୟୁରୋ : ଆଉ କିଛି ସମୟ ପରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ।  ଏଥିପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ସେ ବଜେଟ୍ ‘ବହି ଖାତା’ ସହ ପହଞ୍ଚିଗଲେଣି ଅର୍ଥ ମନ୍ତ୍ରଳାୟରେ । ତାଙ୍କର ସହଯୋଗୀ ତଥା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅର୍ଥ ମନ୍ତ୍ରଳାୟରେ ଉପସ୍ଥିତ ହୋଇଗଲେଣି ।

Advertisment

ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିବେ ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍ । ସରକାର ଗଢିବାର ୭ ମାସ ମଧ୍ୟରେ ନୀତି ନିର୍ଦ୍ଧାରଣ ଓ ଆର୍ଥିକ ସ୍ଥିତି ସଜାଡିବା କ୍ଷେତ୍ରରେ ମୋଦୀ ସରକାରଙ୍କ ପାଇଁ ଏହାକୁ ଦ୍ୱିତୀୟ ସୁଯୋଗ ବୋଲି କୁହାଯାଇପାରେ । ସଂପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ।

ଏହାଛଡା ନିର୍ବାଚନ ପରବର୍ତ୍ତୀ ତଥା ଦଶନ୍ଧୀର ପ୍ରଥମ ବଜେଟ୍ କେତେ ଲୋକାଭିମୁଖୀ ହେବ ଆଉ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ତା ଉପରେ ସାରା ଦେଶର ନଜର ଅଟକିଛି । ନିର୍ମଳା ବଜେଟରେ କେତେକ କ୍ଷେତ୍ରରେ ଟିକସ ହ୍ରାସ ଉପରେ ଜୋର ଦେବେ ବୋଲି ଅନୁମାନ କରାଯାଉଛି । ତେବେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଏଥର ବିତ୍ତୀୟ ନିଅଂଟ କ୍ଷେତ୍ରରେ ରଖିଥିବା ଧାର୍ୟ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦେବେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ପ୍ରଥମ ଥର ପାଇଁ ଦେଶରେ ବ୍ୟାଙ୍କ ବ୍ୟବସ୍ଥା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦରଦାମ ଆକାଶଛୁଆଁ ରହିଛି । ଲୋକଙ୍କ କ୍ରୟଶକ୍ତି କମିଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ଲକ୍ଷ୍ୟ ୬ ରୁ ୬.୫ ପ୍ରତିଶତ ଥିବା ବେଳେ ୫ ଟ୍ରିଲିଅନ ଡଲର ଅର୍ଥନୀତିର ସ୍ୱପ୍ନ କେମିତି ସାକାର ହେବ ତାକୁ ନେଇ ବି ସୃଷ୍ଟି ହୋଇଛି ପ୍ରଶ୍ନ । ଏପରି ସ୍ଥିତିରେ ସାଧାରଣ ଜନତା, କ୍ଷୁଦ୍ର ବ୍ୟବସାୟୀ, ବ୍ୟାଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଏହି ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ।