ବେକାରୀ ସମସ୍ୟା ନେଉଛି ଜୀବନ : ପ୍ରତି ୨ ଘଣ୍ଟାରେ ଆତ୍ମହତ୍ୟା କରୁଛନ୍ତି ତିନି ଜଣ, NCRB ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

800

କନକ ବ୍ୟୁରୋ : ଦେଶରେ ଚରମ ସୀମାରେ ବେକାରୀ ସମସ୍ୟା । ବେକାରୀ ପାଇଁ ପ୍ରତିଦିନ ଶହ ଶହ ଯୁବକ ଯୁବତୀ ପ୍ରାଣ ହରାଉଛନ୍ତି । ନିଯୁକ୍ତି ସମସ୍ୟା ଯୋଗୁଁ ଜୀବନ ଦେଉଛନ୍ତି ଶିକ୍ଷିତ ଯୁବକ ଯୁବତୀ । ବେକାରୀ ସମସ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ (NCRB) ଚାଞ୍ଚଲ୍ୟକର ଖୁଲାସା କରିଛି । NCRB ଡାଟା ଅନୁସାରେ ବେକାରୀ ସମସ୍ୟା କାରଣରୁ ୨୦୧୮ରେ ପ୍ରତିଦିନ ହାରାହାତି ୩୫ ଜଣ ଆତ୍ମହତ୍ୟା କରିଛନ୍ତି । ଏହି ପ୍ରକାରରେ ପ୍ରତି ଦୁଇ ଘଣ୍ଟାରେ ପାଖାପାଖି ୩ ଜଣ ବେକାର ଯୁବକ ଯୁବତୀ ପ୍ରତିଦିନ ଜୀବନ ଦେଉଛନ୍ତି ।

NCRB ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏପରି କିଛି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚାକିରି ନପାଇ ଆତ୍ମହତ୍ୟା କରୁଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ  ବେକାରୀ ସମସ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ନିଯୁକ୍ତି ନପାଇ ଜୀବନ ଦେବାକୁ ପଛାଉ ନାହାନ୍ତି ବେକାର ଯୁବକ ଯୁବତୀ । ରିପୋର୍ଟ ଅନୁସାରେ, ୨୦୧୮ରେ ବେକାରୀଙ୍କ ଆତ୍ମହତ୍ୟା ମାମଲା ତୁଳନାତ୍ମକ ଭାବେ ୩.୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୧ ଲକ୍ଷ ୩୪ ହଜାର ୫୧୬ ମାମଲା ଦାଏର ହୋଇଥିବା ବେଳେ, ୨୦୧୭ରେ ୧ ଲକ୍ଷ ୨୯ ହଜାର ୮୮୭ ଲୋକ ଆତ୍ମହତ୍ୟା ମାମଲା ଦାଏର ହୋଇଥିଲା ।

ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୮୨ ପ୍ରତିଶତ ପୁରୁଷ ଅଛନ୍ତି ବୋଲି ଜଣାପଡ଼ିଛି । ଆତ୍ମହତ୍ୟା ମାମଲାରେ କେରଳ ସବୁଠାରୁ ଆଗରେ ରହିଛି । କେରଳରେ ସର୍ବାଧିକ ୧୫୮୫, ତାମିଲନାଡ଼ୁରେ ୧୫୭୯, ମହାରାଷ୍ଟ୍ରରେ ୧୨୬୦, କର୍ଣ୍ଣାଟକରେ ୧୦୯, ଓ ଉତ୍ତର ପ୍ରଦେଶରେ ୨୦୧୮ରେ ମୋଟ ୯୦୨ ମାମଲା ଦାଏର ହୋଇଥିଲା ।

ଚାକିରି ନପାଇ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ଦେଶରେ କୃଷକଙ୍କ ଆତ୍ମହତ୍ୟା ସଂଖ୍ୟା ଠାରୁ ଅଧିକ । ୨୦୧୮ରେ ୧୨ ହଜାର ୯୩୬ ଲୋକ ବକୋରୀ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ଆତ୍ମହତ୍ୟା କୃଷକଙ୍କ ସଂଖ୍ୟା ହେଲା ୧୦ ହଜାର ୩୪୯ ।