କନକ ବ୍ୟୁରୋ : ଏମାର ମଠରୁ ମିଳିଲା ଭୂତଳ ଘର ।  ଉଚ୍ଛେଦ ବେଳେ ସାମନାକୁ ଆସିଲା ଏମାର ମଠ ଭିତରେ ମାଟି ତଳେ ଥିବା ଏକ ସୁଡ଼ଙ୍ଗ ଘର । ଯାହାକୁ ନେଇ ଏବେ ସସପେନ୍ସ ବଢିଛି । ଭୂତଳ ଘର ଭିତରେ କଣ ରହିଛି ତାକୁ ନେଇ ଆରମ୍ଭ ହୋଇଛି ବଡ ଚର୍ଚ୍ଚା ।  ଏହି ଭୂତଳ ଘରେ  କିଛି  ଗୁପ୍ତ ଧନ ରହିଥିବା ନେଇ ଆଶା ମଧ୍ୟ ପ୍ରକାଶ ପାଉଛି । ୨୦୦୮ରେ ଏମାର ମଠରୁ ଶହ ଶହ ରୂପା ଇଟା ମିଳିଥିଲା  । ପୂର୍ବରୁ ବିଭିନ୍ନ କୂଅ ଏବଂ କାନ୍ଥ ଭିତରେ ସୁନା, ରୂପା ଲୁଚେଇ ରଖାଯାଉଥିବାରୁ ଦ୍ୱାଦଶ ଶତାଦ୍ଦୀର ଏହି ମଠ ଭିତରେ  ଅନେକ ଗୁପ୍ତ ଧନ ଥିବା ନେଇ ରାଜ୍ୟ ବାସୀ ବିଶ୍ୱାସ କରନ୍ତି ।

Advertisment

ଏପଟେ ଏମାର ଏମାର ମଠରେ ଉଚ୍ଛେଦ  ଚାଲିଥିବା ବେଳେ ସେପଟେ ମଠ ଛାଡୁନାହାନ୍ତି ମଠ ମହନ୍ତ ।  ମଠ ଭିତରେ ଧ୍ୟାନ ମୂଦ୍ରାରେ ବସିଛନ୍ତି ମଠର ମହନ୍ତ । ଧ୍ୟାନମୁଦ୍ରାରେ ବସିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ । ଗତକାଲି ବି  ଭଙ୍ଗା ନେଇ ନୋଟିସ ଦେବାକୁ ଯାଇଥିବାବେଳେ ନୋଟିସକୁ ଗ୍ରହଣ କରିନଥିଲେ ମହନ୍ତ । ଫଳରେ ପ୍ରଶାସନ ପକ୍ଷରୁ ମଠରେ ଲଟକା ଝୁଲାଯାଇଥିଲା ।

ପୁରୀ ଏମାର ମଠ ମୁଖ୍ୟ କୋଠାର ଭିତର ପାଶ୍ୱର୍ ଭାଙ୍ଗିବା କାର୍ଯ୍ୟ ଆରମ୍ଭ  ହୋଇଛି । ତିନି ମହଲା କୋଠାକୁ ମାଟିରେ ମିଶାଇବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ଚାଲିଛି । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କାକୁଡିଖାଇ ଛକରୁ ଆଗକୁ ଟ୍ରାଫିକ କଟକଣା ଜାରି ରହିଛି, ସେହିବାଟ ଦେଇ କାହାରିକୁ ଯିବାକୁ ଦିଆଯାଉ ନାହିଁ । ଅନ୍ୟପଟେ ମଠ ଭାଙ୍ଗିବା ସମୟରେ ସାପ ବାହାରିବା ଭୟ ଥିବାରୁ ସ୍ନେକ ହେଲପ ଲାଇନ ସଦସ୍ୟମାନେ ସତର୍କ ଅଛନ୍ତି ।

ଗତକାଲି ପ୍ରଶାସନ ଉପସ୍ଥିତିରେ ଏମାର ମଠର ଅସ୍ଥାୟୀ ଗୁହାଳ ଘର ଉଛେଦ କରାଯାଇଥିଲା । ହିଟାଚି ଓ ବୁଲଡୋଜର ଲଗାଇ ଏହାକୁ ଭାଂଗିଛି ପ୍ରଶାସନ । ମଠର ମହନ୍ତ ସରକାରଙ୍କ ନୋଟିସ ଗ୍ରହଣ ନକରିବାରୁ ମଠରେ ଏହାକୁ ଲଟକା ଭାବେ ଝୁଲାଇ ଦିଆଯାଇଥିଲା । ଏଥି ସହିତ ଗତକାଲି ମଠରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାରକୁ ସଂରକ୍ଷଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସଂରକ୍ଷଣ ପାଇଁ ବହି ସବୁକୁ ସ୍ଥାନାନ୍ତର କରାଯାଇଛି ।