ସାହସ ଦେଖାଇଲେ ଜୟପୁରର ଦୁଇ ବନ୍ଧୁ : କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କଲେ, ସାହସିକତା ଦେଖି ପୁରସ୍କୁତ କଲା ଟାଉନଥାନା ପୁଲିସ

356

କନକ ବ୍ୟୁରୋ : କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଦୁଇ ବନ୍ଧୁୁ । ଜଣଙ୍କର ବୟସ୧୭ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ୧୯ ବର୍ଷ । ନିଜ ଜୀବନକୁ ବାଜି ଲଗାଇ କେନାଲରେ ଭାସି ଯାଉଥିବା ୫୫ ବର୍ଷର ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଜୟପୁର ସହରର ଦୁଇ ବନ୍ଧୁ । ଯୁବକଙ୍କ ଏପରି୍ ସାହାସିକତାକୁ ନେଇ ଜୟପୁର ଟାଉନ ପୋଲିସ ପୁରସ୍କୃତ କରିଥିବା ବେଳେ ଏହି ଘଟଣା ଜିଲ୍ଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭାସି ଯାଉଥିବା ମଧ୍ୟବୟସ୍କ ବ୍ୟକ୍ତିଜଣକ ହେଉଛନ୍ତି ଜୟପୁର ସହର ଅନ୍ତର୍ଗତ ଗାନ୍ଧୀଛକ ବାସିନ୍ଦା ବାଲାଜୀ ସାହୁ । ସକାଳ ବୁଲାରେ ଯାଇଥିବା ବାଲାଜୀ ହଠାତ୍ ଅଶ୍ୱସ୍ତି ଅନୁଭବ କରିବାରୁ କେନାଲ ବନ୍ଧରେ ବସିପଡ଼ିଲେ । ବସିଥିବା ଅବସ୍ଥାରେ ଖୁବ୍ ଜୋର୍ରେ ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ କେନାଲ ବନ୍ଧରୁ ଗଡ଼ି ଗଡ଼ି ପାଣିରେ ପଡ଼ି ସୁଅରେ ଭାସି ଯାଉଥିଲେ । ଏତିକିବେଳେ ସେ ବାଟ ଦେଇ ସକାଳ ବୁଲାରେ ଯାଉଥିବା ଦୁଇ କିଶୋର ସାଙ୍ଗ ସଞ୍ଜୟ ପୂଜାରୀ ଓ କିଷାନ ମାଝୀଙ୍କ ନଜର ଭାସି ଯାଉଥିବା ବାଲାଜୀଙ୍କ ଉପରେ ପଡ଼ିଥିଲା। ସେମାନେ ତୁରନ୍ତ କେନାଲ୍କୁ ଲମ୍ଫ ଦେଇ ବାଲାଜୀଙ୍କୁ ଉଦ୍ଧାର କରି କେନାଲ ବନ୍ଧ ଉପରକୁ ନେଇ ଆସିଥିଲେ।

ଖବର ପାଇ ଜୟପୁର ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଲାଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କଥା ଡାକ୍ତରଖାନା ତରଫରୁ ପ୍ରକାଶ । ଦୁଇ ବାଳକ ବନ୍ଧୁଙ୍କର ସାହସିକ ଓ ମହତ୍ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରୁଛନ୍ତି।