ଆମେରିକାର ଦୂତାବାସ ଉପରେ ପୁଣି ଆକ୍ରମଣ : ବାଗଦାଦର ଗ୍ରୀନଜୋନରେ ୨ଟି ରକେଟ୍ ମାଡ କଲା ଇରାନ

315

କନକ ବ୍ୟୁରୋ : ଇରାନର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କୁ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଯେ କୌଣସି ସମୟରେ ଯୁଦ୍ଧର ରୂପ ନେଇପାରେ । ହତ୍ୟାକାଣ୍ଡ ପାଇଁ ପ୍ରତିଶୋଧ ନେବାଲାଗି ପୂର୍ବରୁ ଧମକ ଦେଇଥିବା ଇରାନ ଇରାକ୍ ସ୍ଥିତ ଆମେରିକାର ଦୂତାବାସ ଭପରେ ପୁଣି ରକେଟ୍ ମାଡ଼ କରିଛି । ବାଗଦାଦର ଗ୍ରୀନ ଜୋନରେ ପୁଣି ଥରେ ରକେଟ ଆକ୍ରମଣ ହୋଇଛି । ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିଛି ଇରାକ ସେନା । ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟି ନାହିଁ । ତେବେ ଆକ୍ରମଣ ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରି ନାହାନ୍ତି ।

ସୂଚନାଯୋଗ୍ୟ ୨ ଦିନ ପୂର୍ବରୁ ମଧ୍ୟ ଇରାନ୍, ଆମେରିକା ଦୂତାବାସର ଉପରେ ରକେଟ ଆକ୍ରମଣ ହୋଇଥିଲା । କିଛି ରକେଟ ଆମେରିକା ଦୂତାବାସ ଉପରେ ପଡ଼ିଥିଲା । ଗତକାଲି ମଧ୍ୟ ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ୍ ମିଜାଇଲ୍ ମାଡ଼ କରି ୮୦ ଜଣ ସୈନ୍ୟକୁ ମାରି ଦେଇଥିବା ଦାବି କରିଥିଲା । ଆଉ ଏହାକୁ ଅସ୍ୱୀକାର କରିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହଥିଲେ, ଇରାନର କ୍ଷେପଣାସ୍ତ୍ର ମାଡ଼ରେ ସାମରିକ ଘାଟିର ଅଳ୍ପ କ୍ଷତି ଘଟିଛି । କିନ୍ତୁ କୌଣସି ସୈନ୍ୟଙ୍କ ମୃତ୍ୟୁ ହୋଇନାହିଁ । ବେଶ କିଛି ଘଂଟାର ନୀରବତା ପରେ ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଥିଲେ ଆମେରିକା ରାଷ୍ଟ୍ରପତି ।

ତେବେ ଇରାନ୍ ଏକ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଏବଂ ସାରା ବିଶ୍ୱରେ ଆତଙ୍କବାଦକୁ ଏହି ରାଷ୍ଟ୍ର ପ୍ରୋତ୍ସାହିତ କରୁଛି ବୋଲି କହିଥିଲେ ଟ୍ରମ୍ପ । ସୁଲେମାନୀକୁ ହତ୍ୟା କରାଯିବା ଉଚିତ ଥିଲା । ଇରାନ୍ ଉପରେ ଆର୍ଥିକ କଟକଣାକୁ ଆହୁରି କଠୋର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରୁ ସ୍ପଷ୍ଟ ହେଉଛି ଇରାନ୍ ପ୍ରତିଶୋଧ ନିଆଁରେ ଜଳୁଛି । ଜେନେରାଲ କ୍ୱାସିମ୍ ସୁଲେମାନୀର ହତ୍ୟାର ପ୍ରତିଶୋଧ ନେବାପାଇଁ ରୀତିମତ ଚେଷ୍ଟା ଜାରି ରଖିଛି ।