ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ ବାତିଲ ପ୍ରସଙ୍ଗ : ଆମେରିକା ରାଷ୍ଟ୍ରଦୂତ ନିକି ହେଲି କହିଲେ, ମୋଦି ଜାଣିଛନ୍ତି ପ୍ରକୃତ କାରଣ

33

କନକ ବ୍ୟୁରୋ : ଟୁ ପ୍ଲସ୍ ଟୁ ବୈଠକ ବାତିଲ ନେଇ ମୋଦି ଜାଣିଛନ୍ତି ପ୍ରକୃତ କାରଣ । ଜୁଲାଇ ୬ରେ ଭାରତ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ ଟୁ ପ୍ଲସ୍ ଟୁ ବୈଠକକୁ ଆମେରିକା ପକ୍ଷରୁ ବାତିଲ କରାଯିବା ସମ୍ପର୍କରେ ଏପରି କହିଛନ୍ତି ଆମେରିକାର ରାଷ୍ଟ୍ରଦୂତ ନିକି ହାଲି । ଏପଟେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଉତରକୋରିଆ ଗସ୍ତ କରୁଥିବାରୁ ଏହି ବୈଠକକୁ ବାତିଲ କରାଯାଇଥିବା ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଜୁଲାଇ ୬ ତାରିଖରେ ଭାରତ-ଆମେରିକା ମଧ୍ୟରେ ହୋଇଥାନ୍ତା ଗୁରୁତ୍ୱପୂର୍ଣ ଟୁ ପ୍ଲସ୍ ଟୁ ବୈଠକ । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମେଟିସଙ୍କ ମଧ୍ୟରେ ଆଲୋଚନା ହେବାର ଥିଲା । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ପ୍ରତିରକ୍ଷା ଓ ବ୍ୟବସାୟିକ ପ୍ରସଙ୍ଗରେ କଥାବାର୍ତା ସହ କେତେକ ଗୁରୁତ୍ୱପୂର୍ଣ ନିଷ୍ପତି ହେବାର ଥିଲା ।

ସୂଚନାଯୋଗ୍ୟ ଅନ୍ୟପଟେ ଇରାନଠାରୁ ନଭେମ୍ବର ୪ସୁଦ୍ଧା ତେଲ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ଭାରତ ସମେତ ବିଭିନ୍ନ ଦେଶକୁ ଧମକ ଦେଇଥିଲା । ସେହିପରି ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଭାରତର ଶୁଳ୍କ ବୃଦ୍ଧି ଘୋଷଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଟ୍ରମ୍ପ । ତେଣୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟକ କାରବାରକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି । ଏଥିରୁ ଜଣାପଡୁଛି ଭାରତ ଆଉ ଆମେରିକାର ଅଗ୍ରାଧିକାର ଦେଶ ତାଲିକାରେ ନାହିଁ । ଟିକସକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି ।