ପାକିସ୍ତାନରେ ଦୁଇ ମୁସଲିମ୍ ଭଉଣୀଙ୍କୁ ଭେଟିଲେ ଶିଖ୍ ଭାଇ, ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ: ଦେଶ ବିଭାଜନ ସମୟରେ ଅଲଗା ହୋଇଯାଇଥିଲେ

113

ପିଲାଦିନୁ ଅଲଗା ହୋଇଯାଇଥିବା ତିନି ଭାଇଭଉଣୀ ପରସ୍ପରକୁ ଭେଟିବାର ସୁଯୋଗ ପାଇଛନ୍ତି । ପାକିସ୍ତାନର ବାସିନ୍ଦା ଦୁଇ ମୁସଲମାନ ଭଉଣୀ ସେମାନଙ୍କର ଶିଖ୍‌ ଭାଇକୁ ପାକିସ୍ତାନର ଗୁରୁଦ୍ୱାରା ଜନମ୍‌ ଆସ୍ଥାନ ନାନକ ସାହିବଠାରେ ମିଳିତ ହେବାର ସୁଯୋଗ ପାଇଛନ୍ତି । ଭାଇଭଉଣୀ ପରସ୍ପରକୁ ଦୀର୍ଘ ବର୍ଷ ପରେ ଭେଟିବା ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ ।

ଉଲଫତ୍‌ ବିବି ଓ ମୈରାଜ ବିବି ଦୀର୍ଘ ୩ ଦଶନ୍ଧି ପରେ ନିଜର ଭାଇ ବିୟନ୍ତ ସିଂଙ୍କୁ ପାଖରେ ପାଇ କୁଣ୍ଢାଇ ଧରି ଆନନ୍ଦରେ କାନ୍ଦି ଉଠିବାର ଦୃଶ୍ୟ ଖୁବ୍‌ ହୃଦୟସ୍ପର୍ଶୀ ଥିଲା । ଅଭିଭକ୍ତ ଭାରତର ପଞ୍ଜାବର ପରାଚା ଗ୍ରାମର ଏକ ପରିବାର ଦେଶ ବିଭାଜନ ସମୟରେ ଦେଖାଦେଇଥିବା ହିଂସା ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ।

ଏହାପରେ ତିନି ଭାଇ-ଭଉଣୀଙ୍କ ମା’ ଭାରତରେ ଥିବା ତାଙ୍କର ପଡ଼ୋଶୀମାନଙ୍କ ସହ ଯୋଗାଯୋଗ କରି ବେଶ୍‌ କିଛି ବର୍ଷ ପରେ ପୁଅ ବିୟନ୍ତର ଠିକଣା ଖୋଜି ପାଇଥିଲେ । ଏହାପରେ ବିୟନ୍ତଙ୍କର ତାଙ୍କ ମା’ ଓ ଦୁଇ ଭଉଣୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା । ପରସ୍ପର ଭିତରେ ଚିଠି ଦିଆନିଆ ଆରମ୍ଭ ହୋଇଥିଲା । ଏହାପରେ ଫୋନ୍‌ ଯୋଗେ ବାର୍ତ୍ତାଳାପ ହେଉଥିଲା ।

ତେବେ ଚଳିତ ବର୍ଷ ପଞ୍ଜାବରୁ ତୀର୍ଥଯାତ୍ର ଲାଗି ପାକିସ୍ତାନ ଯାଇଥିବା ଶିଖମାନଙ୍କର ଏକ ଦଳରେ ସାମିଲ ହୋଇ ନାନକ ସାହିବ ଜନମ୍‌ ଆସ୍ଥାନ୍‌ ଗୁରୁଦ୍ୱାରାରେ ପହଞ୍ଚିଥିଲେ ବିୟନ୍ତ । ସେଠାକୁ ତାଙ୍କର ଦୁଇ ଭଉଣୀ ମଧ୍ୟ ଆସିଥିଲେ । ସେଠାରେ ତିନି ଭାଇଭଉଣୀଙ୍କ ମିଳନ ଘଟିଥିଲା । ଦୁଇ ଭଉଣୀ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ତାଙ୍କ ଭାଇ ବିୟନ୍ତଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।