ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର . . . ଦୁର୍ଦ୍ଦିନରେ ବୁଣାକାର । ବନ୍ଦ ପଡିଛି ସାଢେ ୪୩ ହଜାର ତନ୍ତ, କଟକଣା ହଟାଇବାକୁ ଦାବି

215

କନକ ବ୍ୟୁରୋ : ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର ଓଡିଶା… ସବୁଠି ଦୁର୍ଦ୍ଦିନରେ ବୁଣାକାରଙ୍କ ପରିବାର। କୃଷି ପରେ ଗ୍ରାମୀଣ ରୋଜଗାରର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ପାଲଟି ଥିବା କୁଟୀରଶିଳ୍ପ ଲୁଗାବୁଣା କୁଳବେଉସା ଏବେ କରୋନା ମାଡ଼ରେ ଭୁଶୁଡିବାକୁ ବସିଲାଣି । ବରଗଡରେ ୬୦ ହଜାର, ସୋନପୁରରେ ୨୭ ହଜାର, କଟକରେ ୨୪ ହଜାର ବୁଣାକାର ଏବେ ପେଟ ଚିନ୍ତାରେ । ବନ୍ଦପଡ଼ିଛି ତନ୍ତ । ଏଭଳି ସ୍ଥିତିରେ ପରିବାର ଚଳାଇବା ଚିନ୍ତାରେ ପଡିଛନ୍ତି ଏବେ ରାଜ୍ୟର ୨ ଲକ୍ଷରୁ ଅଧିକ ବୁଣାକାର । ପଶ୍ଚିମ ଓଡିଶା ହେଉ ଅଥବା କଟକ ।

ବୟନଶିଳ୍ପର ରାଜଧାନୀ କୁହାଯାଉଥିବା ବରଗଡର ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ, ସୋନପୁରର ବମକେଇ ପାଟ, କଟକର ପ୍ରସିଦ୍ଧ ମାଣିଆବନ୍ଧ ଶାଢୀ, ଖଣ୍ଡୁଆ ପାଟ, ବ୍ରହ୍ମପୁରର ରେଶମ ପାଟ ଏବେ ବନ୍ଦ। ଲକ୍‌ଡାଉନ୍ ପରଠାରୁ ଉତ୍ପାଦନ ଠପ୍‌। ଯାହା କିଛି ବି କଂଚାମାଲ ବୁଣାକାରଙ୍କ ପାଖରେ ଥିଲା ସେ ସବୁ ସରିଗଲାଣି। କଟକଣା ଯୋଗୁଁ ଆସିପାରୁନି କଂଚାମାଲ, ରଙ୍ଗ, ସୂତା ଆଦି ସାମଗ୍ରୀ। ଏପରିକି ରାଜ୍ୟର ୪୩ ହଜାର ୬୫୨ ତନ୍ତ ଏବେ ବନ୍ଦ ପଡିଛି। ରାଜ୍ୟରେ ବାର୍ଷିକ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କାରବାର ୨୫୦ କୋଟି ଟଙ୍କାର ହେଉଥିବା ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗର ସୂଚନା କହୁଛି।

ବୟନଶିଳ୍ପ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ୪୦ ହଜାର ୬୮୩ ବୁଣାକାର ପରିବାର ରହିଥିବାବେଳେ ବୁଣାକାରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୯୨ ହଜାର ୩୩୯ । ସେଥିରୁ ସର୍ବାଧିକ ବରଗଡର ୬୦ ହଜାର ୩୭୪ ବୁଣାକାର ରହିଥିବାବେଳେ ସୋନପୁରର ୨୭ହଜାର ୧୩୪, କଟକର ୨୪ ହଜାର ୩୧୩, ପାଟଣାଗଡର ୧୫ହଜାର ୫୨୭, ବୌଦ୍ଧର ୧୩ ହଜାର ୭୮୩, ଖୋର୍ଦ୍ଧାର ୯୬୬୩, ଗଞ୍ଜାମର ୬୩୩୬, ନୟାଗଡର ୭୦୫୪ ବୁଣାକାର ରହିଛନ୍ତି । ଏହା ବାହାରରେ ମଧ୍ୟ ଅନେକ ବୁଣାକାର ଓ ତନ୍ତ ରହିଛି ଯାହା ଆଜି ପର୍ଯ୍ୟନ୍ତ ସରକାରୀ ରେକର୍ଡକୁ ଆସିପାରିନି। ତେଣୁ ତୁରନ୍ତ ସରକାର ଏହି ବ୍ୟବସାୟ ଚାଲିବା ଦିଗରେ ପଦକ୍ଷେପ ନ ନଲେ ଏବଂ ପରିବହନ ବ୍ୟବସ୍ଥାକୁ କଟକଣାମୁକ୍ତ ନ କଲେ ଲକ୍ଷାଧିକ ବୁଣାକାର ପରିବାରର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିବ ବୋଲି ମତ ରଖିଛନ୍ତି କଟକ ଜିଲ୍ଲା ରଟିଲୋ ଗ୍ରାମର ବୁଣାକାର ଅଭିଷେକ ବେହେରା ।

ଅନ୍ୟପଟେ ତୁରନ୍ତ ବୁଣାକାର ଓ ବୟନଶିଳ୍ପକୁ କଟକଣା ମୁକ୍ତ କରିବା ପାଇଁ ସମ୍ବଲପୁରୀ ବସ୍ତ୍ରାଳୟ ସହଯୋଗ ସମିତିର ପୂର୍ବତନ ସଭାପତି ସମ୍ବିତ୍‌ କୁମାର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି। ତାଙ୍କ କହିବା କଥା ହେଲା ରାଜ୍ୟର ସମସ୍ତ ବୁଣାକାର ଘରେ ବସି କାମ କରନ୍ତି । ଯଦି ସରକାର କାର୍ଯ୍ୟକ୍ଷମ ତନ୍ତୁବାୟ ସହଯୋଗ ସମିତି ମାଧ୍ୟମରେ ବୁଣାକାରମାନଙ୍କୁ ସୂତା ଓ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଇବା ସହିତ ରାଜ୍ୟରେ ଥିବା ସୂତାରଙ୍ଗ କାରଖାନା ଚାଲୁ କରିବା କରିବା ନିମନ୍ତେ ଅନୁମତି ଦିଅନ୍ତି, ସଂପୃକ୍ତ ସଂସ୍ଥାମାନଙ୍କଠାରୁ କଞ୍ଚାମାଲ ଆଦାନ ପ୍ରଦାନ ନିମନ୍ତେ ସମିତିର ସମ୍ପାଦକମାନଙ୍କୁ ପାସ୍ ଦେବା ସହିତ ସ୍ୱାଧୀନ ଭାବରେ ଲୁଗାବୁଣା କାର୍ଯ୍ୟ କରୁଥିବା ବୁଣାକାରମାନଙ୍କୁ ସମିତି ମାଧ୍ୟମରେ ସୂତା ବିକ୍ରି କରିବାର ଅନୁମତି ଦିଅନ୍ତେ , ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା । ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଏହି ବୁଣାକାର ପରିବାରର ଅଧିକାଂଶ ଲୋକ ଏବେ ଘରକୁ ଫେରି ଆସିଥିବା ବେଳେ ତନ୍ତ ଚାଲିଲେ ହୁଏତ ଅନେକଙ୍କ ପାଇଁ ନୂଆ ରୋଜଗାରର ମାଧ୍ୟମ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।