ନନ୍ଦନକାନନଙ୍କୁ ଅଣାଯିବ ୨ ଜିରାଫ !

80

କନକ ବ୍ୟୁରୋ : ନନ୍ଦନକାନନକୁ ଖୁବ୍‌ ଶୀଘ୍ର ମହୀଶୂର ଚିଡ଼ିଆଖାନାରୁ ୨ଟି ଜିରାଫ ଅଣାଯିବ । ଶୁକ୍ରବାର ନନ୍ଦନକାନନ କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିଡ଼ିଆଖାନ କର୍ତ୍ତୃପକ୍ଷଙ୍କଠାରୁ ଚିଠି ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ତେବେ ଏହା ପ୍ରତିବଦଳରେ ସିମ୍ପାଞ୍ଜି ପୂର୍ଣ୍ଣିମା(୧୬) ଗର୍ଭରୁ ଜନ୍ମିତା ମାଈ ସମ୍ପାଞ୍ଜି ରାକ୍ଷୀ(୪)କୁ ମହୀଶୂର ଚିଡ଼ିଆଖାନାକୁ ହସ୍ତାନ୍ତର କରିବାକୁ ପଡ଼ିବ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପଙ୍କ ସବୁଜ ସଙ୍କେତ ମିଳିବା ପରେ ନନ୍ଦନକାନନରେ ତତ୍ପରତା ପ୍ରକାଶ ପାଇଛି ।

ନନ୍ଦନକାନନ ନିର୍ଦ୍ଦେଶକ ବିଦେଶ ଗସ୍ତରେ ଥିବାରୁ ତାଙ୍କ ଆସିବା ପରେ ଜିରାଫ ଆଣିବା ଯୋଜନା ଚୂଡ଼ାନ୍ତ ହେବ । ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି । ପୂର୍ବରୁ ନନ୍ଦନକାନନ କର୍ତ୍ତୃପକ୍ଷ ୩ ଥର ଜିରାଫ ଆଣିଥିବା ବେଳେ ୨ଟି ଜିରାଫଙ୍କ ମୃତ୍ୟୁ ହୋଇଯାଇଛି । ଫଳରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି । ନନ୍ଦନକାନନକୁ ପ୍ରଥମ କରି ୨୦୦୮ରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ୨୨ଟି ବିରଳ ଜୀବଙ୍କ ପ୍ରତିବଦଳରେ ଏକ ଜିରାଫକୁ ଆଣିବା ବେଳେ ବାଟରେ ବିଦ୍ୟୁତ୍‌ ତାର ଲାଗି ତାର ମୃତ୍ୟୁ ହୋଇଥିଲା ।

ସେହିପରି ୨୦୧୨ରେ ପାଟ୍‌ନା ଚିଡ଼ିଆଖାନାରୁ ସିମ୍ପାଞ୍ଜି କାର୍ତ୍ତିକ ଓ ପୂର୍ଣ୍ଣିମାଙ୍କ ବଦଳରେ ୩ ବର୍ଷର ବୟସର ଜିରାଫ ଖୁସିକୁ ଅଣାଯାଇଥିଲା । ଯିଏ ଏବେ ନନ୍ଦନକାନନର ୧୦୦ ନମ୍ବର ଖୁଆଡ଼ରେ ରହୁଛି । ୨୦୧୬ ଫେବ୍ରୁଆରି ମାସ ୨୪ ତାରିଖରେ ଖୁସି ଲାଗି କଲିକତା ଚିଡ଼ିଆଖାନାରୁ ୪ଟି ବାଘ ପ୍ରତି ବଦଳରେ ଜିରାଫ ଜୟକୁ ଅଣାଯାଇଥିଲା । ତେବେ ଲିଭର ସଂକ୍ରମଣ ଯୋଗୁ ଆସିବାର ୬ ଦିନରେ ତାର ମୃତ୍ୟୁ ହୋଇଯାଇଥିଲା ।