ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍ : ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି ଜାରି

1,401

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ସାପ୍ତାହିକ ୪୮ ଘଂଟିଆ ସଟଡାଉନ୍ । ଅର୍ଥାତ ଆଜି ଓ ଆସନ୍ତାକାଲି ଏହି ୧୧ଟି ଜିଲ୍ଲା ସଟଡାଉନ ରହିବ । ଏହି ୧୧ଟି ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ସଟଡାଉନ ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ ।

କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ?
ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ମଧ୍ୟ ଖୋଲାରହିବ । ସମସ୍ତ ସ୍କୁଲ କଲେଜ ଏବଂ ଶିକ୍ଷାନୁଷ୍ଠାନକୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରଖାଯାଇଛି କିନ୍ତୁ ଏହି ସମୟରେ ପରୀକ୍ଷା ଜାରି ରହିବ । ସଟଡାଉନ ସମୟରେ ଏହି ୧୧ଟି ଜିଲ୍ଲାରେ ମ୍ୟୁନିସପାଲ ପ୍ରଶାସନ, ଦମକଳ ସେବା, ଶକ୍ତି ବିଭାଗ, ଟେଲିଫୋନ ସେବା ,ଜଳ ଯୋଗାଣ ଓ ବିଦ୍ୟୁତ ସେବା ଜାରି ରହିବ । ମାଲ ପରିବହନ କରୁଥିବା ଯାନ ଉପରେ କୈାଣସି କଟକଣା ନାହିଁ । ଶିଳ୍ପାନୁଷ୍ଠାନ, ସର୍ଭିସ ସେକ୍ଟର ଚାଲୁ ରହିବ । ହୋଟେଲ ଓ ହସ୍ପିଟାଲିଟି ସେବାକୁ ବି ଅନୁମତି ଦେଇଛନ୍ତି ସରକାର । ହୋଟଲଗୁଡିକ କେବଳ ଅନଲାଇନ ଡେଲିଭରି କରିପାରିବେ ଓ ଏଥିପାଇଁ ସ୍ୱିଗୀ,ଜମାଟୋ ଭଳି ସଂସ୍ଥାକୁ ବି ଅନୁମତି ମିଳିଛି । କୃଷି ଓ ମତ୍ସ୍ୟ ସମ୍ପଦ ସମ୍ପର୍କିତ ସବୁ କାର୍ଯ୍ୟ ଚାଲିପାରିବ ।

ଟ୍ରେନ,ବସ ଓ ବିମାନ ସେବା ଜାରି ରହିବ । ସେହିପରି ପବ୍ଲିକ ଟ୍ରାନସପୋର୍ଟ ଯାନ ଓ ଟାକ୍ସି ସେବା ଜାରି ରହିବ ଲୋକେ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବିମାନ ବନ୍ଦରକୁ ଯାତାୟତ କରିପାରିବେ । । ବିବାହ କରିବାକୁ ଚାହୁଁଥିବା ଲୋକେ ସ୍ଥାନିୟ ପ୍ରଶାସନର ଅନୁମତି ନେଇ କରିପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରାଯାଇପାରିବ । ଗଣମାଧ୍ୟମ ଉପରେ କୈାଣସି କଟକଣା ନାହିଁ ଓ ଖବରକାଗଜ ହକର ସକାଳ ୮ଟା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ । ତେବେ ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ବର୍ଷରୁ କମ ପିଲାମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସଟଡାଉନ ସମୟରେ ବନ୍ଦ ରହିବ ତଳ କୋର୍ଟ କାର୍ଯ୍ୟ ।