ଦୁଇ ମାନସିକ ବିକାରଗସ୍ତ ଭାଇଙ୍କୁ ସାହା ହେଲେ ମୁଖ୍ୟମନ୍ତ୍ରୀ : ଦୀର୍ଘ ୧୨ ବର୍ଷ ପରେ ଖୋଲିଲା ଲୁହା ଶିକୁଳି, ଆରମ୍ଭ ହେଲା ଚିକିତ୍ସା

375

କନକ ବ୍ୟୁରୋ : ନବୀନଙ୍କ ପଞ୍ଚମ ଇଂନିସରେ । ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ୍ଷ ଭାବେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି । ଜନତାଙ୍କ ଭରସା ବଜାୟ ରଖିବା ପାଇଁ ନିଜେ ଟିକିନିଖି ଖବର ଉପରେ ନଜର ପକାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ଜୀବନର ସ୍ୱପ୍ନ ଦେଖୁଛନ୍ତି ଦୁଇ ବେସାହାରା ଭାଇ । ୧୨ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇ ପଡିଥିଲେ କଳାହାଣ୍ଡିର ଦୁଇ ଭାଇ । ବାପା, ମା’ ନଥିବା ଦୁଇ ଭାଇ ଶିକୁଳିରେ ବନ୍ଧା ହୋଇ ଏଣେ ତେଣେ ବି ବୁଲୁଥିଲେ ।

ଜଣେ ସ୍ବେଚ୍ଛାସେବୀ ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିବା ପରେ ସ୍ବାସ୍ଥ୍ୟ ଚିବ ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ଏସସିବିର ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଦୁଇଭାଇ କ୍ଷିତ ଧରୁଆ ଓ ଲଳିତ ଧରୁଆଙ୍କୁ ମାନସିକ ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି । ଦୁଇ ଭାଇଙ୍କ ଗୋଡରୁ ଶିକୁଳି ଖୋଲାଯାଇଛି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗାଁର ସ୍ବର୍ଗତ ବେଣୁଧର ଧରୁଆଙ୍କ ଦୁଇପୁଅ କ୍ଷିତଓ ଲଳିତ ଜନ୍ମରୁ ସୁସ୍ଥ ଥିଲେ । କିନ୍ତୁ ୧୬ବର୍ଷ ବୟସ ବେଳକୁ ସାମାନ୍ୟ ଜ୍ବର ହେବା ପରଠାରୁ ସେମାନଙ୍କଠାରେ ମାନସିକ ବିକାରଗ୍ରସ୍ତ ଲକ୍ଷଣ ଦେଖା ଦେଇଥିଲା । ପରିବାରବର୍ଗ ଦୁଇଭାଇଙ୍କୁ ଆଖପାଖ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । କିନ୍ତୁ କୌଣସି ସୁଫଳ ପାଇନଥିଲେ । ବାପା, ମା’ ଉଭୟଙ୍କ ମୃତ୍ୟୁ ଘଟିଥିବାବେଳେ ଏକମାତ୍ର ଉଭଣୀ ମଧ୍ୟ ବାହାହୋଇ ସାରିଛନ୍ତି । ଏଭଳି ସ୍ଥିତିରେ ଦୁଇଭାଇ ଅସହାୟ ଅବସ୍ଥାରେ ବୁଲୁଥିଲେ ।

ଏ ସଂପର୍କରେ ସ୍ବେଚ୍ଛାସେବୀ ଦିବସ କୁମାର ସାହୁ ଟ୍ବିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ସ୍ବାସ୍ଥ୍ୟ ସଚିବ ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ତୁରନ୍ତ ଦୁଇ ଭାଇଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଳାହାଣ୍ଡି ଜିଲ୍ଲପ୍ରଶାସନ ଓ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ୨ ଭାଇଙ୍କୁ ତାଙ୍କ ଗାଁରୁ ଉଦ୍ଧାର କରାଯାଇ ଏସ୍ସିବି ମାନସିକ ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଛି । ଏସଂପର୍କରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ସ୍ବାଇଁ କହିଛନ୍ତି ଯେ ଉଭୟଙ୍କର ଚିକିତ୍ସା ଆରମ୍ଭ ହୋଇଛି । ପ୍ରଥମ ପର‌୍ୟ୍ୟାୟରେ ସେମାନଙ୍କର ଗୋଡରୁ ଶିକୁଳି ଖୋଲି ଦିଆଯାଇଛି । ଆଗକୁ ଆବଶ୍ୟକତା ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ ।