କନକ ବ୍ୟୁରୋ : ଟ୍ୱିନ୍ ସିଟି କଟକ-ଭୁବନେଶ୍ୱରର ରାସ୍ତାରେ ପାଦେ ପାଦେ ବିପଦ । ଏହି କଥା ଆମେ ଏଇଥି ପାଇଁ କହୁଛୁ- କାରଣ ଟ୍ୱିନ୍ ସିଟିରେ ଚିହ୍ନଟ ହୋଇଛି ୨୨ଟି ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ । ନଖରାରୁ ପିତାପଲ୍ଲି ଭିତରେ ୧୬ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଥିବା ବେଳେ କଟକ ସହରରେ ୬ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର । ଆଉ ଏଭଳି ସ୍ଥିତିରେ ଦସ୍ୱବ ମହାନଗରରେ ଟ୍ରାଫିକ୍ ଏବଂ ଦୁର୍ଘଟଣା ରୋକିବାକୁ ଏକ ବଡ ଧରଣର କସରତ ଆରମ୍ଭ ହୋଇଛି ।
ଦିନକୁ ଦିନ ଟ୍ୱିନ୍ ସିଟି କଟକ-ଭୁବନେଶ୍ୱରରେ ବଢ଼ୁଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି, ଏନ୍ଏଚ୍ଏଆଇ ବା ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ, ଆର୍ଟିଓ ବା ଆଂଚଳିକ ପରିବହନ କାଯ୍ୟାଳୟର ଅଧିକାରୀ ଏବଂ କମିଶନରେଟ୍ ପୁଲିସର ଅଧିକାରୀଙ୍କୁ ନେଇ ଭୁବନେଶ୍ୱରରେ ଏକ ସମନ୍ୱୟ ବୈଠକ ହୋଇଛି । ଆଉ ଏହି ବୈଠକରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେବ ।
ଭୁବନେଶ୍ୱରରେ ରହିଛି ୧୬ଟି ବ୍ଲାକ୍ ସ୍ପଟ୍ । କଟକରେ ରହିଛି ୬ରୁ ଅଧିକ ବ୍ଲାକ୍ ସ୍ପଟ୍ । ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରର ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ରୋକିବା ପାଇଁ ଏହି ବୈଠକରେ ପ୍ରସ୍ତୁତ ହୋଇଛି ରୋଡ଼୍ ମ୍ୟାପ୍ । ଉଭୟ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିବ ସ୍ପିଡ଼୍ ବ୍ରେକର । ରୋଡ୍ ମ୍ୟାପିଂ ସହ ବିଭନ୍ନ ସ୍ଥାନରେ ସିମ୍ପଲ ବା ଚିହ୍ନ ଜରିଆରେ ଲୋକଙ୍କୁ ସୂଚନା ଦିଆଯିବ ।
ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଦୁର୍ଘଟଣା ହୋଇଥିବା ସ୍ଥାନକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଏ । କିମ୍ବା ଗୋଟିଏ ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ଥାନକୁ ବ୍ଲାକ୍ ସ୍ପଷ୍ଟ ଭାବରେ ଚିହ୍ନ କରାଯାଇଥାଏ । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣା ରୋକିବାକୁ ଅଂଟା ଭିଡିଛି କମିଶନରେଟ୍ ପୁଲିସ୍ । ଯେଉଁଥିରେ ଏନ୍ଏଚ୍ଏଆଇ ଏବଂ ଆର୍ଟିଓ ସହଯୋଗର ହାତ ବଢ଼ାଇଛନ୍ତି ।