ପାଠପଢ଼ା ପାଇଁ ଜଙ୍ଗଲିଆ ରାସ୍ତା ଓ ନଦୀ ପାର ହେଉଛନ୍ତି କୁନି କୁନି ପିଲା ! ଘର ଅନୁଗୁଳ ହେଲେ କେନ୍ଦୁଝରରେ ସ୍କୁଲ୍

301

କନକ ବ୍ୟୁରୋ : ଜୀବନକୁ ବାଜି ଲଗାଇ ଜଂଗଲିଆ ରାସ୍ତା ଆଉ ନଦୀ ପାରି ହୋଇ ପଢ଼ିବାକୁ ଯାଉଛନ୍ତି ପାଳଲହଡ଼ା ବ୍ଲକର କୁନି କୁନି ପିଲା । ଘର ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକରେ । ପିଲାମାନେ କିନ୍ତୁ କେନ୍ଦୁଝର ଜିଲା ତେଲକୋଇ ବ୍ଲକର ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ।

ସ୍ବାଧୀନତାର ୭୨ ବର୍ଷ ପରେ ବି ଅନୁଗୁଳ ଜିଲ୍ଲାର ଅନେକ ପଞ୍ଚାୟତରେ ହାଇସ୍କୁଲ ନାହିଁ । ପାଠପଢ଼ା ପାଇଁ ପିଲାମାନଙ୍କୁ ବହୁ କଷ୍ଟସ୍ବୀକାର କରିବାକୁ ପଡ଼ୁଛି । ପାଳଲହଡା ବ୍ଲକ ଅନ୍ତର୍ଗତ ଝାରବେଡ଼ା ଓ ଆଲୁରୀ ପ˚ଚାୟତ ହେଉଛି ଏହାର ଜ୍ବଳନ୍ତ ଉଦାହରଣ । ଘର ପାଖରେ ହାଇସ୍କୁଲ ନଥିବାରୁ ଏହି ଦୁଇ ପଞ୍ଚାୟତର ୬ଟି ଗାଁର ପିଲାମାନେ ୪ କିଲୋମିଟରରୁ ଅଧିକ ଦୁର୍ଗମ ପଥ ଦେଇ ତେଲକୋଇ ବ୍ଲକ ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି ।

ଝାରବେଡ଼ା ପ˚ଚାୟତର ରାଇପାଳ, ଜାମୁଆ, ବୋଇତାସରେଇ ଓ ଆଲୁରୀ ପ˚ଚାୟତର ସାପଝରା, ବିରାଳମୁଣ୍ତା ଓ ଅନ୍ଧାରୀସାହିର ପାଖାପାଖି ୩୦ ଜଣ ଛାତ୍ରଛାତ୍ରୀ ଏକାଠି ହୁଅନ୍ତି ସାପଝରା ଗାଁରେ । ସାପଝରାରୁ ଦେଢ କିଲୋମିଟର ଜଙ୍ଗଲ ଭିତର ପାଦଚଲା ରସ୍ତାରେ ନଦୀକୂଳକୁ ଆସିଥାନ୍ତି। ବର୍ଷା ଋତୁରେ ମାଛଧରା ଡଙ୍ଗାରେ ସେମାନେ ସମାକୋଇ ନଦୀ ପାରି ହୋଇଥାନ୍ତି । ବର୍ଷା ପରେ ପାଣିର ସୁଅ କମିଗଲେ, ଅଣ୍ଟେ ପାଣିରେ ନଦୀ ପାରି ହେବାକୁ ପଡ଼ିଥାଏ ।

ନିଜ ପ୍ୟାଣ୍ଟସାର୍ଟ ବଦଳାଇ ଗାମୁଛା ପିନ୍ଧି ମୁଣ୍ତରେ ବହି ବସ୍ତାନି ଧରି ସେମାନେ ନଦୀ ପାରି ହୋଇଥାନ୍ତି । ସେଠାରୁ ପୁଣି ଚାଲିଚାଲି ବିପଦସ˚କୁଳ ରାସ୍ତାରେ ସରେଇ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥାନ୍ତି । ସେହିପରି ଆଲୁରୀ ପ˚ଚାୟତର ବୁରୁବୁରା ଗାଁରୁ ପାଖାପାଖି ୧୫ଜଣ ଛାତ୍ରଛାତ୍ରୀ ପାଦରେ ଚାଲିଚାଲି ସରେଇ ହାଇସ୍କୁଲକୁ ଆସନ୍ତି । ବୁରୁବୁରାଠାରୁ ସରେଇ ପର‌୍ୟ୍ୟନ୍ତ ଚାରି କିମି ରାସ୍ତା ବିପଦପୂର୍ଣ୍ଣ, ଘନ ଜଙ୍ଗଲ, ଖାଲଖମଣା । ତଥାପି ଏମାନେ ଭବିଷ୍ୟତ ଗଢିବା ସ୍ବପ୍ନରେ ଖରା ବର୍ଷା ଶୀତ କାକରରେ ସ୍କୁଲ ଯାଇଥାନ୍ତି । ରାସ୍ତାରେ ବନ୍ୟଜନ୍ତୁ ଆଉ ନଦୀସ୍ରୋତରେ ଭାସିଯିବାର ବି ଭୟ ରହିଛି ।

ହାଇସ୍କୁଲଟି ତେଲକୋଇ ବ୍ଲକରେ ଅବସ୍ଥିତ ଥିବା ବେଳେ ଏଠାରେ ଅଷ୍ଟମରୁ ଦଶମ ଯାଏ ପାଠପଢନ୍ତି ୧୦୫ ଜଣ ଛାତ୍ରଛାତ୍ରୀ । ସେଥିରୁ ୮୦ ଜଣ ପାଲଲହଡା ବ୍ଲକର ନଦୀରେ ପୋଲଟିଏ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି । ବୁରୁବୁରାଠାରୁ ସରେଇ ପର୍ଯ୍ୟନ୍ତ ଜଙ୍ଗଲରେ ପକ୍କା ସଡ଼କଟିଏ ନିର୍ମାଣ ପାଇଁ ମଧ୍ୟ ବହୁଦିନରୁ ଦାବି ହୋଇ ଆସୁଛି । କିନ୍ତୁ କୌଣସି ସୁଫଳ ମିଳୁନାହିଁ ।

ଏ ସ˚ପର୍କରେ ପାଳଲହଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ବେହେରା କହନ୍ତି, ପୋଲ ନିର୍ମାଣର ଆବଶ୍ୟକତା ଅଛି, ଆମେ ଏହାର କ୍ଷେତ୍ର ପରିଦର୍ଶନ କରି ଏଷ୍ଟିମେଟ କରି ସରକାରଙ୍କୁ ରିପୋର୍ଟ ଦେଇ ସାରିଛୁ। ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି । ବିଡିଓ ତିବିକ୍ରମ କୁମୁରା କହିଛନ୍ତି, ବୁରୁବୁରାଠାରୁ ସରେଇ ମଧୢରେ ଜଙ୍ଗଲ ରାସ୍ତାରେ ସେ ମୋଟର ସାଇକେଲ ଯୋଗେ ବହୁ କଷ୍ଟରେ ଯାଇଛନ୍ତି । ଏହା ଏକ ବିପଦସ˚କୁଳ ଜଙ୍ଗଲ ରାସ୍ତା । ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ନିଶ୍ଚିତ ଭାବେ ରାସ୍ତା ନିର୍ମାଣ କରାଯିବ । ତେବେ ତା ପୂର୍ବରୁ ସରପ˚ଚଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଏହାର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।