ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର : ଛାତ୍ରଛାତ୍ରୀଙ୍କୁ ଡାଲମା ବଦଳରେ ପରସାଗଲା ପାଣିଆ ଡାଲି

428

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ଅନିୟମିତତା । ଛାତ୍ରଛାତ୍ରୀଙ୍କୁ ଡାଲମା ବଦଳରେ ମିଳିଲା ପାଣିଆ ଡାଲି । ମେନୁ ଚାର୍ଟରେ ଡାଲମା ଥିବାବେଳେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସଙ୍ଗେ ପରସା ଗଲା ପାଣିଆ ଡାଲି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମୁରଲୀଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ମଧ୍ୟାହ୍ନ ଭୋଜନର ମାନ ଯାଂଚ କରିବା ପାଇଁ ଅଚାନକ୍ ବିଭିନ୍ନ ସ୍କୁଲ ଗସ୍ତ କରୁଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ପରସା ଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରମ୍ବାର ତାଗିଦ୍ କରୁଛନ୍ତି  । ତଥାପି ଫଳ ଶୂନ । ଭିଡ଼ିଓରୁ ଆପଣ ସ୍ପଷ୍ଟ ଚିତ୍ର ଜାଣିପାରୁଥିବେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମୁରଲୀଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପିଲାମାନେ ଭାତକୁ କେବଳ ଡାଲି ଖାଉଛନ୍ତି । ଡାଲି ନୁହେଁ ତ ଡାଲିପାଣି । ପାଣିଆ ଡାଲିକୁ ଭାତ । ଭାରି କଷ୍ଟରେ ଖାଉଛନ୍ତି ଛାତ୍ରଛାତ୍ରୀ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପିଲାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ, କିଏ ଆଚାର ଆଣିଛି, ତ ଆଉ କିଏ ଟମାଟୋ ଚକଟା ଆଣି ସ୍କୁଲ ପିଣ୍ଡାରେ ବସି ଖାଉଛନ୍ତି ।

 

ମୁଲୀଧର ଉଚ୍ଚ ପ୍ରାଥମିକ ସ୍କୁଲର ଏହି ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି । ତେବେ ପିଲାଙ୍କୁ ଦିଆଯାଉଥିବା ଏହି ମଧ୍ୟାହ୍ନ ଭୋଜନ ଏବଂ ଏହାକୁ ନେଇ ଭାଇରାଲ ହେଉଥିବା ଚିତ୍ରରେ କେତେ ସତ୍ୟତା ରହିଛି, ତାହା ସ୍କୁଲ କର୍ତୃପକ୍ଷ ହିଁ କରିପାରିବେ । କିନ୍ତୁ ଆଖିକୁ ଯାହା ଦେଖା  ଯାଉଛି, ତାହା ଯଦି ସତ ଥାଏ, ତେବେ ତାହା ନିଶ୍ଚିତ ଭାବରେ ଚିନ୍ତାଜନକ ।