ସାମ୍ନାକୁ ଆସିଲା ବିସ୍ଫୋରକ ବୋଝେଇ ଗାଡିର ସାଂଘାତିକ ସତ : ବେଆଇନ୍ ଭାବେ ଜଣଙ୍କ ନାଁରେ ବିଲ୍ କରି ଅନ୍ୟ ଜଣେ କ୍ରସର ମାଲିକ ନେଉଥିଲେ ଜିଲୋଟିନ୍, ମାଲକାନଗିରିର ୨ଟି କ୍ରସରରେ ଚଢାଉ କଲା ବାଣିଜ୍ୟ କର ବିଭାଗର ୨ଟି ଟିମ୍

616

କନକ ବ୍ୟୁରୋ : ବିସ୍ଫୋରକ ବେଝେଇ କଣ୍ଟେରରେ ରହିଥିଲା ୫ ଟନ ବା ୨୦୦ ପ୍ୟାକେଟ୍ ଜିଲୋଟିନ । ଆବଶ୍ୟକତା ଠାରୁ ୨୨ ପ୍ୟାକେଟ ଅଧିକ ଥିଲା । କେବଳ ଏତିକି ନୁହେଁ ଜିଏସଟି ଫାଙ୍କିବା ପାଇଁ ହୋଇଥିଲା ପ୍ରସ୍ତୁତ ହୋଇଥିଲା ଜାଲ କାଗଜ ପତ୍ର କାରବାର । ପୁରା ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଥିବା ବେଳେ ଏହି ବିସ୍ଫୋରକ କାରବାର ପଛରେ ମାଓବାଦୀଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି ।

ଜଣଙ୍କ ନାଁରେ ବିଲ୍, ଆଉ ଜଣେ ନେଉଥିଲା ବିସ୍ଫୋରକ । ସବୁ ଚାଲିଥିଲା ଜାଲ କାଗଜ ପତ୍ରରେ । ଗତ ୨ ତାରିଖରେ ଜୟପୁର ସହରର ଗାନ୍ଧିଛକରୁ ଜବତ ହୋଇଥିବା ଜିଲୋଟିନ୍ ବୋଝେଇ କଂଟେନରର ଖୋଳତାଡ କରୁ କରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସବୁ ଆଇନ କାନୁନକୁ ଫୁ କରି ଆବଶ୍ୟକତା ଠାରୁ ଅଧିକ ବିସ୍ଫୋରକ ନେଇ ରାତି ଅଧିଆ ହାଇଦ୍ରାବାଦରୁ ମାଲକାନଗିରି ଯାଉଥିଲା ଏହି କଂଟେନର । ଜୟପୁର ଟାଉନ ଥାନା ପୁଲିସ ଛାନଭିନ୍ କରି ଜାଣିବାକୁ ପାଇଛି ଜଣେ କ୍ରସର ମାଲିକଙ୍କ ନାଁରେ ବିଲ କରି ଅନ୍ୟଜଣେ କ୍ରସର ମାଲିକ ଚଳାଇଥିଲେ ସବୁ କାରବାର । ଜିଏସଟି ଫାଙ୍କିବା ପାଇଁ ହୋଇଥିଲା ଏତେ କାରସାଦି ।

ବିସ୍ଫୋରକ ସାମଗ୍ରୀ ପରିବହନ ପାଇଁ କିଛି ଆଇନଗତ ବିଧି ବ୍ୟବସ୍ଥା ରହିଛି ।
୧. କେବଳ ଦିନ ସମୟରେ ବିସ୍ଫୋରକ ପରିବହନ କରାଯିବ ।
୨. ବିସ୍ଫୋରକ ଭର୍ତ୍ତି ଗାଡି ଯାଉଥିବା ବେଳେ ରାସ୍ତାରେ ପଡୁଥିବା ପ୍ରତି ଥାନାରେ ସୂଚନା ଦେବାର ବ୍ୟବସ୍ଥା ରହିଛି ।
୩. କ୍ରସରରେ ବିସ୍ଫୋରକକୁ ବ୍ୟବହାର କରିବା ସମୟରେ ନିକଟସ୍ଥ ଥାନାକୁ ସୂଚନା ଦିଆଯିବ ।
୪. ଜଣେ କ୍ରସର ମାଲିକ ନିର୍ଦ୍ଧିଷ୍ଟ ପରିମାଣର ବିସ୍ଫୋରକ ରଖି ପାରିବେ ।


ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା କ୍ରସର ମାଲିକ ସବୁ କଟକଣାକୁ ଅଣଦେଖା କରି ଆବଶ୍ୟକତା ଠାରୁ ଅଧିକ ପରିମାଣର ଜିଲୋଟିନ୍ ବେଆଇନ୍ ଭାବେ ଜାଲ କାଗଜପତ୍ରରେ ରାତି ଅଧିଆ ନେଉଥିଲେ । ଏହି ଘଟଣାରେ ବାଣିଜ୍ୟ କର ବିଭାଗର ଏକ ସ୍ୱତନ୍ତ୍ର ସ୍ୱାର୍ଡ ମାଲକାଗିରର ଦୁଇଟି କ୍ରସରରେ ଚଢାଉ କରିଛି ।